ଅକ୍ଚୋବରରେ ଉପଲବ୍ଧ ହେବ ୧ କୋଟି କାଡିଲା ଟିକା, ଆରମ୍ଭ ହୋଇପାରେ ୧୮ ବର୍ଷରୁ କମ ବର୍ଗରେ ଟିକାକରଣ

ନୂଆଦିଲ୍ଲୀ : ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଜାଇଡସ କାଡିଲା କରୋନା ଟିକା ଜାଇକୋଭ-ଡି ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି ଜଣାଯାଇଛି । ଏପରିକି ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୧ କୋଟି ପିଲାଙ୍କୁ ଏହି ଟିକା ଦିଆଯାଇପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ।
ସରକାର ଏବେ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି । ଏହି ଗାଇଡଲାଇନ ଆସିବା ପରେ ପିଲାମାନଙ୍କୁ ଟିକା ଦିଆଯିବା ଆରମ୍ଭ କରାଯିବ । କେବଳ କାଡିଲା ଟିକା ନୁହେଁ, ଅକ୍ଟୋବର ବେଳକୁ ଦେଶରେ ଆଉ କେତେକ କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି ।
କେନ୍ଦ୍ର ସରକାରଙ୍କ ଔଷଧ ମହାନିୟନ୍ତ୍ରକ ଗତ ମାସ ୨୦ରେ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଥିଲେ । କୋଭାକ୍ସିନ ପରେ ଏହା ଦେଉଛି ଭାରତର ୨ୟ ସ୍ବଦେଶୀ କରୋନା ଟିକା । ପୁଣି ୧୮ ବର୍ଷରୁ କମ ବୟସ ବର୍ଗରେ ଏହା ହେଉଛି ଦେଶର ପ୍ରଥମ ଟିକା ।
ଗତ ମାସରେ କାଡିଲାର ଏମଡି ସର୍ବିଲ ପଟେଲ କହିଥିଲେ ଯେ ବର୍ଷକୁ ୧୦ରୁ ୧୨ କୋଟି ମାତ୍ରା ଟିକା ଉତ୍ପାଦନ କରାଯିବ । ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ । ତେବେ ଉତ୍ପାଦିତ ଟିକାର କିଛି ଅଂଶ ସ୍କୁଲ, କଲେଜ ଓ ଘରୋଇ ସଂଗଠନମାନଙ୍କୁ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର