ଚଳିତ ମାସରୁ ୭ ରାଜ୍ୟରେ ଉପଲବ୍ଧ ହେବ କାଡିଲା ଟିକା, ବିନା ଛୁଞ୍ଚିରେ ଦିଆଯାଇପାରିବ

ନୂଆଦିଲ୍ଲୀ : ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି । ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରି କରୋନା ପ୍ରଭାବିତ ରାଜ୍ୟ ।

ବିଶ୍ବର ପ୍ରଥମ ପ୍ଲାସମିଡ୍ ଡିଏନଏ ଟିକା କୁହାଯାଉଥିବା ଏହି ଟିକାକୁ ଭାରତୀୟ ଫାର୍ମା କମ୍ପାନି ଜାଇଡସ୍ କାଡିଲା ପକ୍ଷରୁ ପ୍ରସ୍ତୁତ କରାଯାଉଛି । କମ୍ପାନି ଚଳିତ ମାସରେ ଭାରତ ସରକାରଙ୍କୁ ଟିକା ଯୋଗାଣ ଆରମ୍ଭ କରିବ । ୧ କୋଟି ଡୋଜ୍ ଟିକା ପାଇଁ କେନ୍ଦ୍ର ସରକାର ଏହି କମ୍ପାନିକୁ ଅର୍ଡର ଦେଇଛନ୍ତି । ଡୋଜ ପିଛା ୨୬୫ ଟଙ୍କାରେ ଏହି ଟିକାକୁ ସରକାର କିଣିବେ । ଏହା ସହିତ ଏହି ଟିକାଦାନ ବେଳେ ଆବଶ୍ୟକ ହେଉଥିବା ଛୁଞ୍ଚି ବିହୀନ ଆପ୍ଲିକେଟରକୁ ୯୩ ଟଙ୍କାରେ କିଣିବେ ସରକାର ।

ଜାଇକୋଭ-ଡି ବିଶ୍ବର ପ୍ରଥମ ଟିକା ଯାହାକି ବିନା ଛୁଞ୍ଚିରେ ଦିଆଯାଏ । ଫାର୍ମାଜେଟ୍ ନାମକ ଛୁଞ୍ଚିବିହୀନ ଆପ୍ଲିକେଟର ବ୍ୟବହାର କରି ଏହାକୁ ଦିଆଯାଇଥାଏ । ଫଳରେ ଇଂଜେକ୍ସନ ନିଆଯିବାବେଳେ ଦେଖାଯାଉଥିବା କେତେକ ପ୍ରକାରର ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା ରହେ ନାହିଁ । ପୁଣି ଏହି ଟିକା ନେବାବେଳେ ଯନ୍ତ୍ରଣା ହୁଏ ନାହିଁ । ଏହି ଏହି ଟିକା ଅପେକ୍ଷାକୃତ ଅଧିକ ନିରାପଦ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଭାରତୀୟ ଜଳବାୟୁକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ୨ରୁ ୮ ଡିଗ୍ରୀ ସେଲସିୟସରେ ସୁରକ୍ଷିତ ଭାବେ ରଖାଯାଇପାରିବ ।

ସମ୍ବନ୍ଧିତ ଖବର