ତିରୁଅନନ୍ତପୁରମ୍: ‌ଭାରତୀୟ ନୌବାହିନୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମିଳିତ ଚଢ଼ଉରେ କେରଳ ଉପକୂଳରେ ଏକ ଜାହାଜରୁ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍) ଜବତ କରାଯାଇଥିବା ଶନିବାର ଏନ୍‌ସିବି ପକ୍ଷରୁ କୁହାଯାଇଛି। ଏନ୍‌ସିବିର ସୂଚନା ଅନୁସାରେ ସର୍ବାଧିକ ପରିମାଣର ଡ୍ରଗ୍ ଜବତ ସହ ଏଥିରେ ସମ୍ପୃକ୍ତ ଜଣେ ପାକିସ୍ତାନୀ ନାଗରିକକୁ ମଧ୍ୟ ଗିରଫ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌ସିବି ଅଧିକାରୀମାନେ କହିଛନ୍ତି ଯେ, ଏହି ଡ୍ରଗ୍ ଜବତ ସେମାନଙ୍କ ‘ଅପରେସନ ସମୁଦ୍ରଗୁପ୍ତ’ ଅଭିଯାନର ଅଂଶ ବିଶେଷ, ଯେଉଁଥିରେ ସମୁଦ୍ର ଦେଇ ଆଫଗାନିସ୍ତାନରୁ ଚାଲାଣ ହେଉଥିବା ଡ୍ରଗ୍‌ଗୁଡ଼ିକୁ ଟାର୍ଗେଟ କରାଯାଇଥାଏ।

Advertisment

ଏହା ହେଉଛି ଗତ ଦେଢ଼ବର୍ଷ ଭିତରେ ଦକ୍ଷିଣ ପଥ ଦେଇ ସମୁଦ୍ରରେ ଚାଲାଣ ହେଉଥିବା ତୃତୀୟ ବଡ଼ଧରଣର ଡ୍ରଗ୍ ଜବତ ଘଟଣା। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୩,୨୦୦ କେଜି ମେଥାମ୍ଫେଟାମାଇନ, ୫୦୦ କେଜି ହେରୋଇନ ଓ ୫୨୯ କେଜି ହାସିସ ଜବତ କରାଯାଇ ସାରିଣାଣି। ଏବେ ଜବତ ହୋଇଥିବା ୧୩୪ ବସ୍ତା ଡ୍ରଗ୍ ଭାରତ, ଶ୍ରୀଲଙ୍କା ଓ ମାଳଦ୍ବୀପ ପାଇଁ ଉଦ୍ଦିଷ୍ଟ ଥିବା ଏନ୍‌ସିବି ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନରୁ ଆସିଥିବା ଏହି ଡ୍ରଗ୍ ଡଙ୍ଗାଗୁଡ଼ିକରେ ଉକ୍ତ ଦେଶଗୁଡ଼ିକୁ ପଠାଯାଇଥାନ୍ତା।