ନୂଆଦିଲ୍ଲୀ: ଗୁରୁବାର ଦିନ ଜାପାନ ଉପକୂଳ ଠାରୁ ଦୂରରେ ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଟି ମେରାଇନ୍ କର୍ପସ୍ ବିମାନ ଦୁର୍ଘଟନାଗ୍ରସ୍ତ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ୬ ଜଣ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। ସମ୍ଭବତଃ ଆକାଶରେ ଥାଇ ଇନ୍ଧନ ଭରିବା ଅଭ୍ୟାସ କରୁଥିବା ବେଳେ କିଛି ଭୁଲ୍ଭଟକା ହୋଇଯିବାରୁ ବିମାନ ଦୁଇଟି ଦୁର୍ଘଟନାଗ୍ରସ୍ତ ହୋଇଥାଇ ପାରନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅଧିକାରୀ କହିଛନ୍ତି।
ଜାପାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ତା’ର ନୌବାହିନୀ ସଦସ୍ୟମାନେ ଦୁର୍ଘଟନା ସମୟରେ ବିମାନ ଦୁଇଟିରେ ଥିବା ୭ ଜଣ ଆମେରିକୀୟ ନୌବାହିନୀର ସଦସ୍ୟଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଛନ୍ତି। ତଲାସ ଏବଂ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନି ଅଧିକାରୀମାନେ କହିଛନ୍ତି।
ଏକ ବିବୃତିରେ ମେରାଇନ୍ କର୍ପସ୍ କହିଛି ଯେ ଗୁରୁବାର ଜାପାନର ସ୍ଥାନୀୟ ସମୟ ପ୍ରତ୍ୟୁଷ ୨ଟା ବେଳେ ଜାପାନୀ ତଟ ଠାରୁ ୩୨୨ କିଲୋମିଟର୍ ସମୁଦ୍ର ଉପର ଆକାଶରେ ଦୁର୍ଘଟନା ଘଟିଛି।
ଗୋଟିଏ କେସି-୧୩୦ ହର୍କ୍ୟୁଲିସ୍ ବିମାନ ଗୋଟିଏ ଏଫ୍/ଏ-୧୮ ହର୍ଣ୍ଣେଟ୍ ଲଢୁଆ ଜେଟ୍ରେ ଇନ୍ଧନ ଭରୁଥିଲା। ସେ ବିମାନ ସବୁ ଇଓ୍ଵାକୁନି ସ୍ଥିତ ମେରାଇନ୍ କର୍ପସ୍ ଏୟାର୍ ଷ୍ଟେସନ୍ରୁ ଉଡ଼ାଣ ଆରମ୍ଭ କରି ନିୟମିତ ତାଲିମ ଦେବା ସମୟରେ ଦୁର୍ଘନଟା ଘଟିଥିଲା।
ଦୁର୍ଘଟନା ପ୍ରକାର ସଂକ୍ରାନ୍ତରେ ମେରାଇନ୍ କର୍ପସ୍ ବିଶେଷ କିଛି ସୂଚନା ଦେଇ ନାହିଁ। କିନ୍ତୁ, ଏହି ଦୁର୍ଘଟନାରେ କୌଣସି ଷଡ଼ଯନ୍ତ୍ର ନାହିଁ ବୋଲି ସେମାନେ ନିଶ୍ଚିତ। ତଥାପି ତଦନ୍ତ ଆରମ୍ଭ ହୋଇଛି।
ଏଥିରେ ଜାପାନୀ ତଲାସ ଓ ଉଦ୍ଧାରକାରୀ ବିମାନ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କଥା ମେରାଇନ୍ କର୍ପସ୍ କହିଛି।