ମୁମ୍ବାଇ: କେନ୍ଦ୍ରର ନୋଟିସ ପରେ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ଭିଡିଓକୁ ଡିଲିଟ୍ କରିଛି ୟୁଟ୍ୟୁବ୍। ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଆଲ୍ଲାହବାଦିଆ କହିଥିଲେ, ତୁମେ ତୁମର ପିତାମାତାଙ୍କୁ ସାରା ଜୀବନ ପ୍ରତିଦିନ ଯୌନସମ୍ପର୍କ ରଖୁଥିବା ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ଯୋଗ ଦେଇ ଏହାକୁ ସବୁଦିନ ପାଇଁ ବନ୍ଦ କରିବ? ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମଙ୍ଗଳବାର ଦିନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଟ୍ୱିଟ୍ କରି କହିଛନ୍ତି, "ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ୟୁଟ୍ୟୁବ୍ରୁ ରଣବୀର ଆଲ୍ଲାହବାଦିଆଙ୍କ ଅଶ୍ଳୀଳ ଏବଂ ବିକୃତ ମନ୍ତବ୍ୟ ଥିବା 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ଏପିସୋଡକୁ ଡିଲିଟ୍ କରାଯାଇଛି।’’ ସେ ଏକ ସ୍କ୍ରିନ୍ସଟ୍କୁ ବି ତାଙ୍କ ପୋଷ୍ଟ୍ରେ ସେୟାର୍ କରିଛନ୍ତି। ଯେଉଁଥିଲେ ଲେଖାଯାଇଛି, ‘‘ଭିଡିଓ ଉପଲବ୍ଧ ନାହିଁ।’’
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ରାଜନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟବହାରକାରୀ ଓ ଅନ୍ୟମାନେ ତାଙ୍କ ମନ୍ତବ୍ୟକୁ ଅଶ୍ଳୀଳ ଓ ଆପତ୍ତିଜନକ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଆଲ୍ଲାହବାଦିଆ କ୍ଷମା ମାଗିବା ଅବସରରେ କହିଛନ୍ତି, ‘‘କମେଡି ମୋର ବିଶେଷତା ନୁହେଁ। ମୁଁ ଆଶା କରୁଛି, ଆପଣ ଜଣେ ମଣିଷ ଭାବରେ ମୋତେ କ୍ଷମା କରିଦେବେ।’’
ଆଲ୍ଲାହବାଦିଆଙ୍କ ଆପତ୍ତିଜନକ ମନ୍ତବ୍ୟ ବିବାଦ ସୃଷ୍ଟି କରିବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ଜଣେ ସଦସ୍ୟ ସୋମବାର ୟୁଟ୍ୟୁବ୍କୁ ଏକ ଚିଠି ଲେଖି ଏହାକୁ ପ୍ଲାଟଫର୍ମରୁ ହଟାଇବାକୁ କହିଥିଲେ।