ନୂଆଦିଲ୍ଲୀ: କେନ୍ଦୁଝର ଜିଲ୍ଲାପାଳଙ୍କୁ ଆସନ୍ତା ଜାନୁଆରି ୧୯ରେ ବ୍ୟକ୍ତିଗତ ହାଜର ପାଇଁ ଜାତୀୟ ମାନବ ଅଧିକାର ଆୟୋଗ(ଏନ୍ଏଚ୍ଆର୍ସି) ସମନ ଜାରି କରିଛନ୍ତି। ନିର୍ଦ୍ଧାରିତ ସମୟ ଅବଧିରେ ଆୟୋଗଙ୍କ ନିକଟରେ ବାସହୀନଙ୍କୁ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ଆବାସ ଯୋଗାଇଦେବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିପାରି ନଥିବାରୁ ଏନ୍ଏଚ୍ଆର୍ସିଙ୍କ ଦ୍ବାରା ସମନ ଜାରି ହୋଇଛି। ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଏନ୍ଏଚ୍ଆର୍ସିରେ ଅଭିଯୋଗ କରିଥିଲେ ସ୍ବାଧୀନତାର ୭୫ ବର୍ଷ ପରେ ରାଜ୍ୟ ସରକାରଙ୍କ ଅବହେଳା, ଅଣଦେଖା ଓ ନିଷ୍କ୍ରିୟତା ଯୋଗୁ ଶତାଧିକ ସଂଖ୍ୟାରେ ଗରିବ ଆଦିବାସୀମାନଙ୍କୁ ରହିବା ପାଇଁ ଉପଯୁକ୍ତ ବାସସ୍ଥାନ ଯୋଗାଇ ଦିଆଯାଇନାହିଁ। କେନ୍ଦୁଝର ଜିଲ୍ଲାର ମଙ୍ଗରାଜପୁର ଗାଁର ହାଟଡ଼ିହି ବ୍ଲକର ସାଢ଼ଙ୍ଗା ପଂଚାୟତରେ ୨୦୦ରୁ ଅଧିକ ଗରିବ ଅନୁସୂଚିତ ଜାତି ଓ ଜନଜାତି ପରିବାର ବାସଗୃହ ଓ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ପିଟିସନ୍ରେ ବିଶେଷଭାବେ ଉଲ୍ଲେଖ କରିଥିଲେ। ମାମଲାକୁ ଏନ୍ଏଚ୍ଆର୍ସିଙ୍କ ପକ୍ଷରୁ ଗମ୍ଭୀରତା ସହ ନିଆଯାଇଥିଲା।
ଚଳିତ ବର୍ଷ ଅଗଷ୍ଟ ୪ରେ ଏନ୍ଏନ୍ଆର୍ସି ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଯୋଗାଇଦେବା ନେଇ ପାତରଅନ୍ତର ନୀତି ସମ୍ବନ୍ଧିତ ୪୦ଟି ମାମଲାର ଶୁଣାଣି କରିଥିଲେ। ଭର୍ଚୁଆଲ ଶୁଣାଣିରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ, କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତାର, ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ଓ ଆବେଦନକାରୀ ଶ୍ରୀ ତ୍ରିପାଠୀ ଉପସ୍ଥିତ ଥିଲେ। ବୈଠକରେ କେନ୍ଦୁଝର ଜିଲ୍ଲାପାଳ ମୌଖିକ ରୂପେ ୧୪୦ ପରିବାରର ୪୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୪୫ ଅନ୍ୟ ହିତାଧିକାରୀଙ୍କୁ ରୁରାଲ ହାଉସିଂ ୱେଟିଂ ଲିଷ୍ଟ ଅନ୍ତର୍ଗତ ସୁବିଧା ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ଏନ୍ଏଚ୍ଆର୍ସି କେନ୍ଦୁଝର ଜିଲ୍ଲାପାଳଙ୍କୁ ହିତାଧିକାରୀଙ୍କୁ ଆବାସ ଯୋଗାଇବା ପ୍ରସଙ୍ଗରେ ୪ ସପ୍ତାହ ଭିତରେ ଲିଖିତ ରୂପେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳଙ୍କ ଦ୍ବାରା ରିପୋର୍ଟ ଦାଖଲ ହୋଇପାରି ନଥିବାରୁ ଏନ୍ଏଚ୍ଆର୍ସି ବ୍ୟକ୍ତିଗତ ହାଜିରା ପାଇଁ ସମନ ଜାରି କରିଛନ୍ତି।