ନୂଆଦିଲ୍ଲୀ/କେନ୍ଦୁଝର : ଜାତୀୟ ଜନଜାତି ଆୟୋଗ (ଏନ୍ସିଏସ୍ଟି)ଙ୍କ ନିକଟରେ ହାଜର ହୋଇ ଗୁରୁବାର ଦିନ ନିଜ ପକ୍ଷ ରଖିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କ ଇଜଲାସରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଆଦିବାସୀମାନଙ୍କ ସମସ୍ୟାକୁ ନେଇ ହୋଇଥିବା ଶୁଣାଣିରେ ଜିଲ୍ଲାପାଳ ଉପସ୍ଥିତ ଥିଲେ। ଆଦିବାସୀମାନଙ୍କୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାନଯିବା ସଂକ୍ରାନ୍ତ ଅଭିଯୋଗ ଉପରେ ଜିଲ୍ଲାପାଳ ନିଜ ପକ୍ଷ ଉପସ୍ଥାପନ କରିଥିଲେ।
ସୂଚନା ମୁତାବକ ଶୁଣାଣି କାଳରେ ଆୟୋଗ ସଦସ୍ୟ ଶ୍ରୀ ନାୟକ ବିସ୍ଥାପିତମାନଙ୍କୁ ଆଇନ ଅନୁସାରେ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଦିବାସୀମାନଙ୍କ
ପୁନଃ ଥଇଥାନ, କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏକ ସପ୍ତାହ ମଧ୍ୟରେ ବିସ୍ତୃତ ସତ୍ୟପାଠ ଜରିଆରେ ଆୟୋଗଙ୍କୁ ଅବଗତ କରିବାକୁ କୁହାଯାଇଛି। ଜୁନ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଉକ୍ତଦିନ ଜିଲ୍ଲାପାଳ ପୁଣିଥରେ ହାଜର ହେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପରେ ଜିଲ୍ଲାପାଳ ‘ନୋ କମେଣ୍ଟସ’ କହି ଏହି ପ୍ରସଙ୍ଗ ଉପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
କାନପୁର ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଗରିବ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନଙ୍କୁ ଜବରଦସ୍ତ ବିସ୍ଥାପନ ମାମଲାରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଆୟୋଗରେ ମେ ୯ ତାରିଖରେ ବ୍ୟକ୍ତିଗତ ହାଜର ହେବା ପାଇଁ ଗତମାସ ୨୮ରେ ଆୟୋଗ ସମନ ଜାରି କରିଥିଲେ। ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆୟୋଗଙ୍କ ନିକଟରେ ହାଜର ହୋଇପାରିନଥିଲେ। ଏହାପୂର୍ବରୁ ଏକାଧିକ ମାମଲାରେ ଆୟୋଗଙ୍କ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଚାଲିଥିଲେ। ଏହାପରେ ଆୟୋଗଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। ଜିଲ୍ଲାପାଳଙ୍କୁ ଗିରଫ କରି ଏପ୍ରିଲ ୪ ସୁଦ୍ଧା ହାଜର କରିବାକୁ ଓଡ଼ିଶା ଡିଜିପିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ପରୱାନାକୁ ଜିଲ୍ଲାପାଳ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ରହିତାଦେଶ ଜାରିକରିଥିଲେ। ମାମଲା ଏବେ ବିଚାରାଧୀନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/keonjhar.jpg)
