ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସରକାର ସୁପ୍ରିମ୍‌ କୋର୍ଟଙ୍କ ଠାରେ ଏକ ବିଚିତ୍ର ପ୍ରଶ୍ନ ଉପସ୍ଥାପନ କରିଛି: ଦିଲ୍ଲୀକୁ ଭାରତର ରାଜଧାନୀ ବୋଲି ଘୋଷଣା କରି ଭାରତୀର ସମ୍ବିଧାନ ଅଥବା କୌଣସି ଆଇନ ପାସ୍‌ କରାଯାଇଛି କି?

Advertisment

ଦିଲ୍ଲୀ ସରକାରଙ୍କ ଅଖଣ୍ଡ କାର୍ଯ୍ୟପାଳିକା କ୍ଷମତା ଜାହିର କରିବା ନିମନ୍ତେ ନିର୍ଦ୍ଦିଷ୍ଟ ଅଞ୍ଚଳର ରୂପରେଖ ବାହାର କରିବାକୁ ଉଦ୍ୟମ କରି ତାଙ୍କ ତରଫରୁ ଯୁକ୍ତି ବାଢ଼ି ବରିଷ୍ଠା ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ କେ ସିକ୍ରି, ଏ ଏମ୍‌ ଖାନ୍‌କିଲ୍‌ଓ୍ଵାର୍‌, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଦୀଲ୍ଲୀ ଭାରତର ରାଜଧାନୀ ବୋଲି ସମ୍ବିଧାନ ଅଥବା କୌଣସି ଆଇନରେ ଉଲ୍ଲେଖ ନାହିଁ।

କୌଣସି ଆଇନରେ ରାଜଧାନୀ ଚିହ୍ନଟ କରାଯାଇ ନାହିଁ। ରାଜଧାନୀକୁ ଅନ୍ୟ କେଉଁ ଆଡ଼େ ଉଠାଇ ନେବାକୁ ଆସନ୍ତାକାଲି ସରକାର ନିଷ୍ପତ୍ତି ନେଇ ପାରନ୍ତି। ଦିଲ୍ଲୀ ରାଜଧାନୀ ବୋଲି ମଧ୍ୟ ସମ୍ବିଧାନ କହୁନାହିଁ। ଆମେ ଜାଣୁ ଯେ ବ୍ରିଟିସ୍‌ ସରକାର କଲିକତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟୋରି ଅଫ୍‌ ଦିଲ୍ଲୀ ଆକ୍ଟ୍‌ ରହିଛି କିନ୍ତୁ ଭାରତର ରାଜଧାନୀ ଦିଲ୍ଲୀ ବୋଲି ତାହା ସାମ୍ବିଧାନିକଭାବେ କହୁନାହିଁ ବୋଲି ସେ କହିଥିଲେ। ଏ ସମ୍ବନ୍ଧରେ ଖଣ୍ଡପୀଠ କୌଣସି ବିବୃତି ଦେଇ ନାହାନ୍ତି।

ଜୟସିଂହ କହିଛନ୍ତି ଖଣ୍ଡପୀଠଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା: ଜାତୀୟ ରାଜଧାନୀ ଅଞ୍ଚଳ ଉପରେ ଦୁଇଟି ଆଧିପତ୍ୟ ରହିପାରିବ କି? ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରିମଣ୍ଡଳ ଥିବାରୁ ଦିଲ୍ଲୀ ଏକ ରାଜ୍ୟ ବୋଲି ମୁଁ ଦାବି କରୁନାହିଁ। କିନ୍ତୁ ରାଜ୍ୟ ଓ କେନ୍ଦ୍ରର କାର୍ଯ୍ୟପାଳିକା କ୍ଷମତା ନିର୍ଦ୍ଧାରିତ କରାଯାଇ ସ୍ୱତନ୍ତ୍ର କରାଯିବା ଭଳି ସମାଧାନ ଦିଲ୍ଲୀ କ୍ଷେତ୍ରରେ ଆବଶ୍ୟକ।

ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ବିନା ହସ୍ତକ୍ଷେପରେ କେଜ୍ରିଓ୍ଵାଲ୍‌ ସରକାରଙ୍କୁ ସୁଚାରୁ ରୂପେ ଶାସନ ଚଳାଇବାକୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବଣ୍ଟନ ହେବା କଥା, ବିଶେଷକରି ମହିଳା ମଙ୍ଗଳ, କର୍ମସଂସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟପରିମଳ ଆଦି ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ।

ଖଣ୍ଡପୀଠ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା କ୍ଷମତା ବର୍ଗୀକରଣ କରି ସମ୍ବିଧାନ ତିନିଟି ଭିନ୍ନ ଭିନ୍ନ ତାଲିକା ଯୋଗାଇ ଦେଇଛି। ସବୁ ରାଜ୍ୟ କେନ୍ଦ୍ର ସହ ସହଯୋଗ କରି କାର୍ଯ୍ୟ କରିବେ। କାର୍ଯ୍ୟପାଳିକା କ୍ଷମତାର ପ୍ରତ୍ୟକ୍ଷ ବିଭାଗୀକରଣ ଦର୍ଶାଇ କୌଣସି ଆଇନ ନାହିଁ।