ଲକ୍ଷ୍ନୌ: ଉତ୍ତରପ୍ରଦେଶର କସ୍ଗଂଜ ଜିଲ୍ଲାରେ ଅତି ଅଭାବନୀୟ ଘଟଣା ଘଟିଛି। ଜଣେ ଦୁଷ୍କର୍ମ ପୀଡ଼ିତା ଏବଂ ତାଙ୍କ ମା’ଙ୍କୁ ରାସ୍ତା ଉପରେ ଟ୍ରାକ୍ଟର ମଡ଼ାଇ ମାରି ଦେଇଛି ଜାମିନ୍ରେ ଫେରିଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ। ଉକ୍ତ ଅଭିଯୁକ୍ତର ନାମ ଯଶବୀର। ସେ ଗିରଫ ହୋଇଛି ଏବଂ ତା' ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଗତ ବୁଧବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ପୀଡ଼ିତା ଏବଂ ତାଙ୍କ ମା' ବଜାରରୁ ଘରକୁ ଫେରୁଥିବାବେଳେ ବାଟରେ ଅଭିଯୁକ୍ତ ଯଶବୀର ସେମାନଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ମାରିଦେଇଥିଲା। କସ୍ଗଂଜ ଏସ୍ପିଙ୍କ କହିବା ଅନୁଯାୟୀ ଏହି ହତ୍ୟା ପୀଡ଼ିତା ପରିବାର ଏବଂ ଅଭିଯୁକ୍ତ ପରିବାର ମଧ୍ୟରେ ଏକ କଳହ ଯୋଗୁଁ ହୋଇଛି।
ଗତ କିଛିବର୍ଷ ପୂର୍ବେ ପୀଡ଼ିତାଙ୍କ ବାପା ଏବଂ ଦାଦା ଯଶବୀରର ବାପା ମହାବୀର ରାଜପୁତଙ୍କୁ ସମ୍ପତ୍ତି ବିବାଦ ନେଇ ହତ୍ୟା କରିଥିବା ମାମଲାରେ ଗିରଫ ହୋଇଥିଲେ। ପୀଡ଼ିତାଙ୍କ ବାପା ଜେଲ୍ରେ ଥିବାବେଳେ ପୀଡ଼ିତା ଏବଂ ତାଙ୍କ ମା' ମହାବୀର ରାଜପୁତ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିଥିଲେ। ଦୁଷ୍କର୍ମ ମାମଲାରେ ସେ ଗିରଫ ହୋଇ ଜେଲ୍ରେ ଥିଲା। ତେବେ ନିକଟରେ ସେ ଜେଲ୍ରୁ ମୁକୁଳିଥିଲା। ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଯଶବୀର ଉଭୟ ଦୁଷ୍କର୍ମ ପୀଡ଼ିତା ଏବଂ ତା' ମା'କୁ ଟ୍ରାକ୍ଟର ମଡ଼ାଇ ମାରି ଦେଇଥିବା କୁହାଯାଉଛି। ତେବେ ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ମୃତ ଦେହକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ ଏବଂ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।