ପୋର୍ଟ ମୋର୍ସବେ: ପପୁଆ ନ୍ୟୁ ଗିନିରେ ଶୁକ୍ରବାର ଘଟିଥିବା ଭୟାବହ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨ହଜାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଭୂସ୍ଖଳନ ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ହେବ ବୋଲି ଅନୁମାନ କରାଯାଉଥିଲା। ରବିବାର ସୁଦ୍ଧା କେବଳ ୫-୬ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇପାରିଥିଲା। ପାଗ ବଦଳିବା ପରେ ଆଜି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
ଦେଶ ପକ୍ଷରୁ ସହାୟତା ପାଇଁ ମିଳିତ ଜାତିସଂଘକୁ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ ମୁଁଗାଲୋ ପର୍ବତରେ ଘଟିଥିବା ଭୟାବହ ଭୂସ୍ଖଳନ ଯୋଗୁଁ ଏମ୍ବାଲି ଗାଁ ଓ ଆଖାପାଖ ଅଞ୍ଚଳର ୨ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଙ୍ଗାର ଅଞ୍ଚଳର ପ୍ରଶାସକ ସାଣ୍ଡିସ୍ ତାସ୍କା କହିଛନ୍ତି ଯେ ଯେଉଁ ଅଞ୍ଚଳରେ ଏହି ବିପର୍ଯ୍ୟୟ ହେଲା ସେଠାରେ ପ୍ରାୟ ୪ହଜାର ପରିବାର ବସବାସ କରୁଥିଲେ। ଏହି ଅଞ୍ଚଳ ପରିବହନ ଓ ଯାତାୟାତର ଏକ ପ୍ରମୁଖ ପେଣ୍ଠସ୍ଥଳୀ ଥିବାରୁ ଏକ ଜନଗହଳିପୂର୍ଣ୍ଣ ବସତି ଥିଲା। ଏଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଅପରପକ୍ଷରେ ଜାତିସଂଘ ପକ୍ଷରୁ ମୃତ୍ୟୁ ସଂଖ୍ୟା ୬୭୦ ହେବ ବୋଲି ଆକଳନ କରାଯାଇଛି।