ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ସୋମବାର କହିଛନ୍ତି ଯେ, ଗଣତନ୍ତ୍ର ଆମ ସମ୍ବିଧାନର ଆବଶ୍ୟକ ବୈଶିଷ୍ଟ୍ୟ ହୋଇଥିବାରୁ ଏବଂ ପ୍ରତ୍ୟେକ ନାଗରିକର ନିଜ ପସନ୍ଦ ଅନୁସାରେ ଭୋଟ ଦେବାର ଅଧିକାର ଥିବାରୁ ପ୍ରାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ପୃଷ୍ଠଭୂମି ବିଷୟରେ ପ୍ରତ୍ୟେକ ଭୋଟରଙ୍କର ଜାଣିବାର ଅଧିକାର ରହିଛି।
ଭୀମ ରାଓ ବସନ୍ତ ରାଓ ପାଟିଲଙ୍କ ବିରୋଧରେ ଆଗତ ନିର୍ବାଚନୀ ମାମଲା ଖାରଜ କରିବାକୁ ତେଲେଙ୍ଗାନା ହାଇକୋର୍ଟ ମନା କରିବା ପରେ ତାହା ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରିବା ଅବସରରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଡିଭିଜନ ବେଞ୍ଚ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପାଟିଲ ତାଙ୍କ ବିରୋଧରେ ଥିବା କେତେକ ମାମଲା ବିଷୟରେ ନିର୍ବାଚନ ସମୟରେ ଲୁଚାଇଥିବାରୁ ତାଙ୍କ ବିରୋଧରେ ଉକ୍ତ ନିର୍ବାଚନୀ ମାମଲା ରୁଜୁ କରାଯାଇଥିଲା। ପାଟିଲଙ୍କ ଆବେଦନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଥିଲେ।
କୋର୍ଟ କହିଥିଲେ ଯେ ଗଣତନ୍ତ୍ର ହେଉଛି ଆମ ସମ୍ବିଧାନର ଆବଶ୍ୟକ ବୈଶିଷ୍ଟ୍ୟ। ମୌଳିକ ଅଧିକାରର ପର୍ଯ୍ୟାୟଭୁକ୍ତ ନ ହେଲେ ମଧ୍ୟ ପ୍ରତ୍ୟେକ ନାଗରିକଙ୍କର ଭୋଟ ଦେବାର ଅଧିକାର ରହିଛି। ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପୂର୍ବରୁ ସେମାନଙ୍କ ବିଷୟରେ ସବୁ ଜାଣିବାର ଅଧିକାର ସେମାନଙ୍କର ରହିଛି। ଏଣୁ ପ୍ରତ୍ୟେକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ ସମୟରେ ନିଜ ବିରୋଧରେ ଥିବା ସମସ୍ତ ମାମଲା ବିଷୟରେ ସୂଚନା ଦେବା ବାଧ୍ୟତାମୂଳକ।
କୋର୍ଟ କହିଲେ ଯେ, ନିର୍ଦ୍ଦିଷ୍ଟ ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିଲେ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଅଯୋଗ୍ୟ ଘୋଷଣା କରିବାର ପ୍ରାବଧାନ ଧାରା ୮ରେ ରହିଛି। ଧାରା ୩୩ଏ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନରେ ଭାଗ ନେବା ସମୟରେ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ଓ ଆପରାଧିକ ପୃଷ୍ଠଭୂମି ବିଷୟରେ ସୂଚନା ଦେବା ବାଧ୍ୟତାମୂଳକ। ଭୋଟ ଦେବା ସମୟରେ ପ୍ରାର୍ଥୀମାନଙ୍କ ବିଷୟରେ ଭୋଟରଙ୍କ ପାଖରେ ସମସ୍ତ ସୂଚନା ରହିବାର ଆବଶ୍ୟକତାକୁ ଚାହି ଏହି ନିୟମ କରାଯାଇଛି। କୋର୍ଟ କହିଥିଲେ ଯେ, ୧୦.୧୦.୨୦୧୮ରେ ନିର୍ବାଚନ କମିସନଙ୍କୁ ଯେଉଁ ମାର୍ଗଦର୍ଶିକା ଦିଆଯାଇଥିଲା, ସେଥିରେ ଉଲ୍ଲେଖ ରହିଛି ଯେ ପ୍ରତ୍ୟେକ ପ୍ରାର୍ଥୀ ସେମାନଙ୍କ ବିରୋଧରେ ରହିଥିବା ବିଚାରାଧୀନ ଆପରାଧିକ ମାମଲା ଓ ଯେଉଁ ଅପରାଧରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେ ବିଷୟରେ ସେମାନେ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ। ବାଦୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁନ୍ଦରମ୍ ଏବଂ ପ୍ରତିବାଦୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏଏମ୍ ସିଂଘଭି ମାମଲା ଲଢ଼ୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/sf54h65fhfhfhfsh.jpg)