ନୂଆଦିଲ୍ଲୀ : ଚଳିତ ଗ୍ରୀଷ୍ମ ଋତୁରେ ଉତ୍ତର, ଉତ୍ତର ପଶ୍ଚିମ ଏବଂ ଉତ୍ତର ମଧ୍ୟ ଭାରତରେ ଜଳସଙ୍କଟ ଜଟିଳ ରୂପ ନେଇଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ଏବେ ଉତ୍କଟ ମରୁଡ଼ି ସମସ୍ୟା ଯୋଗୁଁ ହାହାକାର ସ୍ଥିତି ଉପୁଜିଛି। ଶହ ଶହ ଗ୍ରାମରେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରୁଛି। ଜଳାଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ‌ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷାଜଳ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି। ଗ୍ରାମୀଣ ଭାରତରେ ସବୁ ଗାଁ ମୁଖିଆମାନଙ୍କ ପାଖକୁ ମୋଦୀ ଚିଠି ଲେଖିଛନ୍ତି। ଆଗାମୀ ବର୍ଷା ଋତୁରେ ସବୁ ଗାଁ ମୁଖିଆମାନେ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାପାଇଁ ଅନୁରୋଧ କରି ମୋଦୀ ଏହି ଚିଠି ଲେଖିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାକ୍ଷର କରିଛନ୍ତି ଏବଂ ଏହି ଚିଠିକୁ ଜିଲ୍ଲାପାଳମାନେ ନିଜେ ଗାଁ ମୁଖିଆଙ୍କୁ ପ୍ରଦାନ କରୁଛନ୍ତି।

Advertisment

ଅନେକ ଗ୍ରାମରେ ମୋଦୀଙ୍କର ଏହି ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବ ଉତ୍ତରପ୍ରଦେଶର ସୋନଭଦ୍ରାରେ ମୋଦୀଙ୍କ ଚିଠି ୬୩୭ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଛି। ସମସ୍ତ ଗାଁ ମୁଖିଆ ବର୍ଷାଜଳ ସଂଗ୍ରହ କରିବାପାଇଁ ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି। ଏନେଇ ଗାଁ ମୁଖିଆମ‌ାନେ ଏକ ଗ୍ରାମସଭା ବୈଠକ କରିବେ। ‌ବୈଠକରେ ଗ୍ରାମର ସମସ୍ତ ସଦସ୍ୟ ରହିବେ ଏବଂ ବର୍ଷାଜଳ କିଭଳି ସଂଗ୍ରହ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହେବା ଉଚିତ୍‌ ବୋଲି ମୋଦୀଙ୍କ ଚିଠିରେ ଦର୍ଶାଯାଇଛି। ଚେକ୍‌ ଡ୍ୟାମ୍‌ ଏବଂ ପୋଖରୀ ଖୋଳି ବର୍ଷାଜଳ ସଂରକ୍ଷଣ ପାଇଁ ମୋଦୀ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାକୁ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଏକ ଆଦର୍ଶ ଭାବେ ପରିଣତ କରିବାକୁ ପ୍ରୟାସ ଚାଲିଛି। ଜିଲ୍ଲାପାଳ ଉମେଶ ମିଶ୍ର କହିଛନ୍ତି, ମୋଦୀଙ୍କ ଚିଠି ୬୦୧ ଗାଁ ମୁଖିଆମାନଙ୍କୁ ଦିଆଯାଇଛି। ୭୭୦ ପୋଖରୀ ଖୋଳାଯିବା ଯୋଜନା ହୋଇସାରିଛି ଏବଂ ଏଥି ମଧ୍ୟରୁ ୫୦୦ ପୋଖରି ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।