ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାପାଇଁ ୨୬ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏଥିପାଇଁ ଏକ ମେଣ୍ଟ ଗଠନ କରିଛନ୍ତି ଏବଂ ଏହି ମେଣ୍ଟର ନାଁ ରହିଛି ‘ଇଣ୍ଡିଆ’ । ବାସ୍ତବରେ ଇଣ୍ଡିଆ ମେଣ୍ଟ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇ ପାରିବ କି ନା’ ସେନେଇ ଏକ ସର୍ଭେ ହୋଇଥିଲା। ସେଥିରୁ ଜଣାପଡ଼ିଛି ଯେ ବିରୋଧୀ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇବା ଏତେ ସହଜ ନୁହେଁ। ଇଣ୍ଡିଆ ଟୁଡେ-ସି ଭୋଟର ମୁଡ୍‌ ଅଫ ଦି ନେସନ୍‌ ପୋଲ୍‌ ନାମ ଉକ୍ତ ସର୍ଭେରେ ଭାଗ ନେଇଥିବା ଅଧିକାଂଶ ମତଦାତା ଏଭଳି ମତ ଦେଇଛନ୍ତି। ସର୍ଭେରେ ଭାଗ ନେଇଥିବା ୫୪ ପ୍ରତିଶତ ଅଂଶଗ୍ରହଣକାରୀଙ୍କ ଅନୁଯାୟୀ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବନାହିଁ ।

Advertisment

ଅନ୍ୟପକ୍ଷେ ୩୩ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇବାରେ ସଫଳ ହେବ। ମେଣ୍ଟର ନାଁ ଇଣ୍ଡିଆ ରଖାଯିବା ଦ୍ବାରା ମେଣ୍ଟକୁ ଅଧିକ ଭୋଟ୍‌ ମିଳିବ କି ବୋଲି ପ୍ରଶ୍ନରେ ୩୯ ପ୍ରତିଶତ ଅଂଶଗ୍ରହଣକାରୀ ସକାରାତ୍ମକ ଉତ୍ତର ରଖିଛନ୍ତି। ଅନ୍ୟପକ୍ଷେ ୩୦ ପ୍ରତିଶତ ଏଥିରେ ରାଜି ନାହାନ୍ତି। ଅନ୍ୟ ୧୮ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି, ନୂଆ ନାମ ଦ୍ବାରା ଭୋଟ୍‌ ମିଳିବନି କି ଏହା ସେଭଳି ଏକ ଆକର୍ଷଣକାରୀ ନାଁ ନୁହେଁ। ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବାପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁଠାରୁ ଉପଯୁକ୍ତ ବୋଲି ପ୍ରଶ୍ନର ଉତ୍ତର ରଖି ୨୪ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି। ଅନ୍ୟପକ୍ଷେ ୧୫ ପ୍ରତିଶତ ଅଂଶଗ୍ରହଣକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥିପାଇଁ ଉପଯୁକ୍ତ ବୋଲି କହିଛନ୍ତି।