ନୂଆଦିଲ୍ଲୀ: କୋଭିଡ୍ ନିୟମ ପାଳି ନ ପାରିଲେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାହୁଲ ଗାନ୍ଧି ଓ ଅଶୋକ ଗେହଲଟଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ରାହୁଲ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଆଜି ରାହୁଲ ଏକ ଜନସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତ ଯୋଡ଼ୋ ଯାତ୍ରାର ସଫଳତା ଦେଖି ଡରି ଯାଇଛନ୍ତି ଏବଂ ଏହାକୁ ରୋକିବା ପାଇଁ କରୋନା ବାହାନା କରୁଛନ୍ତି। ତେବେ କୌଣସି ସ୍ଥିତିରେ ବି ଯାତ୍ରା ବନ୍ଦ ହେବନାହିଁ ବୋଲି ରାହୁଲ ଘୋଷଣା କରିଛନ୍ତି।

Advertisment

ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ମଧ୍ୟ ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ‘ରାହୁଲଙ୍କ ଯାତ୍ରାକୁ କେନ୍ଦ୍ର ସରକାର ଆଇନ ବା ଷଡ଼୍‌ଯନ୍ତ୍ର ଦ୍ବାରା ଯାତ୍ରା ବନ୍ଦ କରିପାରିଲେ ନାହିଁ। ତେଣୁ ଲାଗୁଛି କେନ୍ଦ୍ର ସରକାର ଏବେ ‘କୋଭିଡ୍‌-୧୯’ ଭୂତାଣୁ ଛାଡ଼ିଛନ୍ତି’ ବୋଲି ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠିକୁ ସମାଲୋଚନା କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରାରେ ରୢାଲି କରିଥିଲେ। ସେତେବେଳେ ତ କୋଭିଡ୍ ନିୟମ ମାନି ନ ଥିଲେ? କୋଭିଡ୍‌ର ଦ୍ବିତୀୟ ଲହର ବେଳେ ବି ମୋଦୀ ପଶ୍ଚିମବଙ୍ଗରେ ବିନା ମାସ୍କରେ ରୢାଲି କରୁଥିଲେ। ଏବେ କଟକଣା କୋଉଠୁ ଆସିଲା ବୋଲି ସେ ପ୍ରଶ୍ନ କରିଥିଲେ।