ନୂଆଦିଲ୍ଲୀ : ଏସିଆରେ ଚୀନର ଦାଦାଗିରି ବଢିଚାଲିଥିବାରୁ ଆମେରିକା କେତେକ ସ୍ୱତନ୍ତ୍ର ରଣନୀତି ଉପରେ କାର୍ଯ୍ୟକରୁଛି । ବିଶେଷକରି ଚୀନ ବିରୁଦ୍ଧରେ ଗଠିତ ୪ ଦେଶୀୟ ମେଣ୍ଟ କ୍ୱାଡ୍କୁ ଶକ୍ତିଶାଳୀ କରିବାକୁ ପେଣ୍ଟାଗନ ଯୋଜନା କରୁଛି । କ୍ୱାଡରେ ଆମେରିକା ସମେତ ଭାରତ, ଅଷ୍ଟ୍ରେଲିଆ, ଜାପାନ ସଦସ୍ୟ ଅଛନ୍ତି ।
ଆଗାମୀ ଦିନରେ ଚୀନର ଉତ୍ପାତ ଆହୁରି ବଢିବାର ଆଶଙ୍କା ରହିଛି । ଆମେରିକା ଦ୍ୱାରା ପ୍ରସ୍ତୁତ ଯୋଜନା ମୁତାବକ ଭାରତ, ଅଷ୍ଟ୍ରେଲିଆ, ଜାପାନର ବାୟୁସେନା ପାଇଲଟମାନଙ୍କୁ ତାଲିମ ଦିଆଯିବ । ପ୍ରଶାନ୍ତ ମହାସାଗରସ୍ଥିତ ଆମେରିକାର ଗୁଆମ ନାଭାଲ ବେସରେ ଥିବା ଆଣ୍ଡରସନ ଏୟାରଫୋର୍ସ ବେସରେ ଏହି ତାଲିମ ଦିଆଯିବ । ଏହି ତାଲିମ ପାଇବା ପରେ ଭବିଷ୍ୟତରେ ଚୀନ ସହିତ ଯୁଦ୍ଧ ହେଲେ ଏହି ୪ଟି ଦେଶର ବାୟୁସେନା ମଧ୍ୟରେ ଉତ୍ତମ ସମନ୍ଵୟ ରହିପାରିବ ବୋଲି ଆମେରିକା ଆଶା କରୁଛି ।
ଚଳିତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଆମେରିକୀୟ ସିନେଟରେ ଉପସ୍ଥାପିତ ଜାତୀୟ ପ୍ରତିରକ୍ଷା କ୍ଷମତାର୍ପଣ ଆଇନ (ଏଏନଡିଏଏ ୨୦୨୧)ରେ ଏହି ତାଲିମ ଯୋଜନା ସଂପର୍କରେ ଉଲ୍ଲେଖ ରହିଛି । ଗତ ଫେବ୍ରୁଆରି ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ତାଲିମ ସଂପର୍କରେ ବୁଝାମଣା ହୋଇଥିଲା । ନିୟମିତଭାବେ ଦୁଇଦେଶର ସେନା, ବାୟୁସେନା ଓ ନୌସେନା ମଧ୍ୟରେ ଯୁଦ୍ଧାଭ୍ୟାସ କରାଯିବ ବୋଲି ଉଭୟପକ୍ଷ ରାଜି ହୋଇଥିଲେ ।