ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଉ ଏକ ସମସ୍ୟା ସାମନାକୁ ଆସିଛି । ଦେଶରେ ଓମିକ୍ରନ୍ ଭେରିଏଣ୍ଟ୍ ଚିହ୍ନଟ କରିବା ପାଇଁ ନମୁନାଗୁଡିକର ଜିନୋମ୍ ସିକ୍ଵେନ୍ସିଂ କରିବାରେ ଅସୁବିଧା ସୃଷ୍ଟି ହେଉଛି । ଭାରତୀୟ ସାର୍ସ୍-କୋଭ୍-୨ଜିନୋମିକ୍ସ୍ କନ୍ସର୍ଟିୟମର ୩୮ଟି ଲ୍ୟାବ୍ ମଧ୍ୟରୁ ୫ଟି ଲ୍ୟାବ୍ ବନ୍ଦ ହୋଇ ଯାଇଛି। ଏହା ଦ୍ଵାରା ପୂର୍ବ ମାସ ତୁଳନାରେ ଏହି ମାସ ଜିନୋମ୍ ସିକ୍ଵେନ୍ସିଂରେ ପାଖାପାଖି ୪୦ ପ୍ରତିଶତ ହ୍ରାସ ଘଟିଛି। ଜିନୋମ୍ ସିକ୍ଵେନ୍ସିଂ ଏକ ପ୍ରକାର ପରୀକ୍ଷା, ଯେଉଁଥିରେ କୌଣସି ପଜିଟିଭ୍ ନମୁନାରେ ଥିବା କରୋନାର ସଠିକ୍ ଭେରିଏଣ୍ଟ ବିଷୟରେ ସୂଚନା ମିଳିଥାଏ ।

Advertisment

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଏକ ଘରୋଇ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମକୁ କହିଛି ଜିନୋମ୍ ସିକ୍ଵେନ୍ସିଂ ପାଇଁ ଲାଗୁଥିବା ଉପାଦାନରେ ହ୍ରାସ ଘଟିଛି । ଏପରି ସମସ୍ୟା ଯଥେଷ୍ଟ ଅର୍ଥ ନମିଳିବାରୁ ସୃଷ୍ଟି ହୋଇଛି ।

ଜାନୁଆରୀ ମାସର ଆରମ୍ଭରେ କରୋନାର ସ୍ଥିତିକୁ ନେଇ ହୋଇଥିବା ଏକ ଗୁରତ୍ଵପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, କରୋନା ଭାଇରସ୍ କ୍ରମାଗତ ଭାବେ ଏହାର ରୂପ ବଦଳାଉଥିବାରୁ ଦେଶରେ ଜିନୋମ୍ ସିକ୍ଵେନ୍ସିଂ ଓ ବୈଜ୍ଞାନିକ ଗବେଷଣା ବଢାଇବାର ଆବଶ୍ୟକତା ଅଛି ।

ଭାରତରେ ଓମିକ୍ରନର ଲହର ଆସିବା ପରେ କେବଳ ୨୫,୦୦୦ ଜିନୋମର ହିଁ ସିକ୍ଵେନ୍ସିଂ କରାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ନୂଆ ଭେରିଏଣ୍ଟ୍ ଓମିକ୍ରନ୍ ହିଁ ଭାରତରେ ତୃତୀୟ ଲହର ଆସିବାର ପ୍ରମୁଖ କାରଣ ଅଟେ । ଏହାର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୪ ତାରିଖ ଦିନ ଜଣା ପଡିଥିଲା। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ନଭେମ୍ବର ୨୬ ତାରିଖ ଏହି ନୂଆ ଭେରିଏଣ୍ଟ୍ ଚିନ୍ତାର କାରଣ ବୋଲି ଘୋଷଣା କରିଥିଲା ।

ଭାରତରେ ବୁଧବାର ଦିନ ୩ ଲକ୍ଷ ୧୭ ହଜାର ନୂଆ କରୋନା ରୋଗୀ ମିଳିଛନ୍ତି । ୮ ମାସ ପରେ ପ୍ରଥମ ଥର ପାଇଁ ବୁଧବାର ଦିନ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ହୋଇଛି ।