ଇନ୍ଦୋର: ବଢ଼ିବାରେ ଲାଗିଛି ବିଧାୟକ ଆକାଶ ବିଜୟବର୍ଗିୟଙ୍କ ଅଡୁଆ | ପ୍ରଥମେ ମୋଦୀ ପରୋକ୍ଷ ଭାବେ ଏଭଳି ଆଚରଣକୁ ବରଦାସ୍ତ କରାଯିବନି କହିବା ପରେ ବିଜେପି ଆଜି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ବିଜେପି, ବିଧାୟକ ଆକାଶ ବିଜୟବର୍ଗିୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି | ଇନ୍ଦୋର ନଗର ନିଗମର ଜଣେ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ପିଟିବା ନେଇ ଭିଡିଓ ଭାଇରଲ ହୋଇଥିଲା | ଏହାକୁ ନେଇ ମୋଦୀ ମଧ୍ୟ କ୍ଷୁବ୍ଧ ହୋଇଥିଲେ |
ମୋଦୀ ଏହି ଘଟଣାକୁ ନେଇ ନାମ ନ ନେଇ କହିଥିଲେ ଯେ ବିଜେପି ଦଳରେ ଅହଂକାର,ଦୁର୍ବ୍ୟବହାରର କୌଣସି ସ୍ଥାନ ନାହିଁ | ଏଭଳି ଘଟଣାକୁ କେବେ ବି ବରଦାସ୍ତ କରାଯିବନାହିଁ ବୋଲି ସେ କହିଥିଲେ | ବିଜେପିର କାରଣ ଦର୍ଶାଅ ନୋଟିସକୁ ନେଇ ଆକାଶଙ୍କ ବାପା ତଥା ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗିୟ କହିଛନ୍ତି ଯେ ମୋଦୀ ଆମ ପରିବାରର ମୁଖ୍ୟ |
ଯଦି ମୋଦୀ ଏହାକୁ ନେଇ କ୍ଷୁବ୍ଧ ହୋଇ କିଛି କହିଛନ୍ତି ତେବେ କିଛି ଖରାପ ହୋଇନାହିଁ | ଏହା ଆକାଶଙ୍କ ରାଜନୈତିକ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି | ବିଜେପି ଅନୁଶାସନ ସମିତି ଆକାଶଙ୍କୁ ଏହି ନୋଟିସ ଜାରି କରିଥିବାବେଳେ କାହିଁକି ଏଭଳି ସେ କଲେ ତୁରନ୍ତ ଜଣାଇବାକୁ ବିଜେପି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |