ନୂଆଦିଲ୍ଲୀ: ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ବିଜେପି ଆଉ ୭ ଜଣଙ୍କ ନାମ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଗୁଜରାଟରୁ ଏବଂ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚହ୍ବାନଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ବିଜେପି ତା’ର ସଦ୍ୟତମ ତାଲିକାରେ ଗୁଜରାଟରୁ ୪ ଜଣ ଏବଂ ମହାରାଷ୍ଟ୍ରରୁ ୩ ଜଣଙ୍କ ନାମ ଘୋଷଣା କରିଛି। ନଡ୍ଡାଙ୍କ ବ୍ୟତୀତ ବିଜେପି ଗୁଜୁରାଟରୁ ଗୋବିନ୍ଦଭାଇ ଢୋଲକିଆ, ମାୟାନଭାଇ ନାୟକ ଓ ଯଶବନ୍ତ ସିଂହ ପରମାରଙ୍କୁ ପ୍ରାର୍ଥୀ କରିଛି। ମହାରାଷ୍ଟ୍ର ପାଇଁ ବିଜେପି ମେଧା କୁଲକର୍ଣ୍ଣି ଏବଂ ଅଜିତ ଗୋପଛାଡେଙ୍କ ନାମ ଘୋଷଣା କରିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌହାନ କଂଗ୍ରେସ ଛାଡ଼ି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସଶାସିତ ପାହାଡ଼ିଆ ରାଜ୍ୟରୁ ଏକମାତ୍ର ଆସନ ଜିତିବା ପାଇଁ ବିଜେପି ପାଖରେ ସଂଖ୍ୟା ନ ଥିବାରୁ ବର୍ତ୍ତମାନ ହିମାଚଳ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିବା ନଡ୍ଡାଙ୍କୁ ଗୁଜରାଟରୁ ପ୍ରାର୍ଥୀ କରାଯାଇଛି। ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମଧ୍ୟପ୍ରଦେଶରୁ ଏଲ୍ ମୁରୁଗାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ବିଜେପି ଘୋଷଣା କରିଛି।

Advertisment

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରୁଗାନଙ୍କ ବ୍ୟତୀତ ମଧ୍ୟପ୍ରଦେଶରୁ ବିଜେପି ଆଉ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଉମେଶ ନାଥ ମହାରାଜ, ମାୟା ମାରୋଲିଆ ଓ ବଂଶୀଲାଲ ଗୁର୍ଜର। ରବିବାର ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ଯେଉଁଥିରେ ଆର୍‌ପିଏନ୍ ସିଂହ ଏବଂ ସୁଧାଂଶୁ ତ୍ରିବେଦୀ ସାମିଲ ଥିଲେ। ପରବର୍ତ୍ତୀ ସମୟରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ଥିବା ବିଦାୟୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ବାଦ୍ ଦେଇ ରାଜସ୍ଥାନରୁ ଆଉ ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଏପ୍ରିଲରେ ୧୫ଟି ରାଜ୍ୟରୁ ରାଜ୍ୟସଭାର ୫୬ ଜଣ ସଦସ୍ୟ ଅବସର ନେଉଥିବା ବେଳେ ଫେବ୍ରୁଆରି ୨୭ତାରିଖରେ ଏହି ଆସନ ପାଇଁ ନିର୍ବାଚନ ହେବ।