କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶିବପ୍ରସାଦ ହାଜରାକୁ ଆଜି ଗିରଫ କରାଯାଇଛି | ଆଉ ଏପର୍ଯ୍ୟନ୍ତ ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଛି | ପଶ୍ଚିମବଙ୍ଗର ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ବଶିରହାଟ ଏସପି ଏଚଏମ ରହମାନ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇନାହିଁ। ଟିଏମସି ନେତା ଶିବପ୍ରସାଦ ହାଜରାଙ୍କ ଗିରଫଦାରୀ ସହିତ ଏପର୍ଯ୍ୟନ୍ତ ସମୁଦାୟ ୧୮ ଜଣଙ୍କୁ ଗିରଫ କରାଯାଇଛି। ବାସ୍ତବରେ ଏହି ଘଟଣାକୁ ଜାତୀୟ ଅନୁସୂଚିତ ଜାତି ଆୟୋଗ ବହୁ ସଂଖ୍ୟାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆୟୋଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।
ଏହି ରିପୋର୍ଟରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରାଯାଇଥିଲା । ଟିଏମ୍ସି ନେତା ଶାହଜାହାନ ଶେଖ୍ ଏବଂ ତାଙ୍କ ସମର୍ଥକମାନେ ବଳପୂର୍ବକ ଲୋକଙ୍କ ଜମି ଦଖଲ କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ମିଳିଛି ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ପଶ୍ଚିମବଙ୍ଗରେ ଅନୁସୂଚିତ ଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଧାରା ୩୩୮ ଅନୁଯାୟୀ ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଜାତୀୟ ଅନୁସୂଚିତ ଜାତି ଆୟୋଗ ସୁପାରିସ କରିଥିଲେ । ରାଷ୍ଟ୍ରପତି ଆୟୋଗକୁ ଆଶ୍ୱାସନା ଦେଇଥିଲେ ଯେ ସେ ଏହି ମାମଲାର ଅନୁଧ୍ୟାନ କରିବେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।