ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୭ ପ୍ରତିଶତ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧୧.୬୯ ପ୍ରତିଶତ ଓ ମୃତ୍ୟୁହାର ୧.୫୩ ପ୍ରତିଶତ ରହିଛି । ଦେଶର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ପ୍ରାୟ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ ଥିବାବେଳେ ଓ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ଜାତୀୟ ହାରଠାରୁ ଅଧିକ ରହିଛି । ଜାତୀୟ ସ୍ତରରେ ପଜିଟିଭିଟି ହାର ( ମୋଟ ପରୀକ୍ଷା ପିଛା ବାହାରୁଥିବା କରୋନା ପଜିଟିଭ ସଂଖ୍ୟା) ୮.୦୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୬.୭ ପ୍ରତିଶତ ରହିଛି । ସେହିପରି ଓଡ଼ିଶାରେ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ୮୨,୦୫୯ ରହିଛି, ଯାହାକି ଜାତୀୟ ହାରଠାରୁ ଅଧିକ ।

ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ୨୫ ପ୍ରତିଶତ ମହାରାଷ୍ଟ୍ରରେ ଥିବାବେଳେ ୧୧ ପ୍ରତିଶତ କେରଳରେ ଓ ୧୩ ପ୍ରତିଶତ କର୍ଣ୍ଣାଟକରେ ଅଛନ୍ତି । ଦେଶର ୧୦ଟି ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ୭୯ ପ୍ରତିଶତ ରହିଛନ୍ତି । ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ କମାଇବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି ।