ନୂଆଦିଲ୍ଲୀ : ୧୩ଟି କର୍ପୋରେଟ ସଂସ୍ଥା ଋଣ ଖିଲାଫ କରିବାରୁ ୨ ଲକ୍ଷ ୮୫ ହଜାର କୋଟିର କ୍ଷତି ସହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ ।
ବ୍ୟାଙ୍କ କର୍ମଚାରୀମାନଙ୍କ ୟୁନିଅନ ଅର୍ଥାତ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ )ର ତଥ୍ୟ ମୁତାବକ ଏହି ୧୩ଟି ସଂସ୍ଥା ପ୍ରାୟ ୪ ଲକ୍ଷ ୮୬ ହଜାର କୋଟିର ଋଣ ନେଇ ଖିଲାଫ କରିଥିଲେ । ପରେ ମାତ୍ର ୧ ଲକ୍ଷ ୬୧ ହଜାର କୋଟି ବିନିମୟରେ ସେମାନଙ୍କ ଋଣ ମାଫ କରାଯାଇଥିଲା । ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ପ୍ରାୟ ୨ ଲକ୍ଷ ୮୫ ହଜାର କୋଟିର କ୍ଷତି ସହିଛନ୍ତି । କେବଳ ଏତିକି ନୁହେଁ, କ୍ଷତିରେ ଚାଲିଥିବା ଓ ଦେବାଳିଆ ହୋଇଯାଇଥିବା ଘରୋଇ ଆର୍ଥିକ ସଂସ୍ଥାଗୁଡ଼ିକୁ ସହାୟତା ପାଇଁ ମଧ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ଉପଯୋଗ କରାଯାଉଛି ।
ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ୟୁନିଅନ ପକ୍ଷରୁ ଆସନ୍ତା ୧୬ ଓ ୧୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି । ଦେଶରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ଋପାୟନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ନେଉଥିବାବେଳେ ଘରୋଇକରଣ ହେଲେ ସାଧାରଣ ଲୋକେ ପ୍ରଭାବିତ ହେବେ ବୋଲି ୟୁନିଅନର ଆବାହକ ବି.ରାମବାବୁ କହିଛନ୍ତି ।
ଗୋଟିଏ ପଟେ ସରକାର ବ୍ୟାଙ୍କଗୁଡ଼ିକରେ ନୂଆ ପୁଞ୍ଜି ଭର୍ତ୍ତି କରିବାବେଳେ ଅନ୍ୟପଟେ ବ୍ୟାଙ୍କମାନେ ଋଣ ଆଦାୟ କରି ନ ପାରି ହଜାର ହଜାର କୋଟିର କ୍ଷତି ସହିଚାଲିଛନ୍ତି । ଏହା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଚାଲିଛି ।