ବେଙ୍ଗାଲୁରୁ: ୧୮ ବର୍ଷ ପରେ ଆଇପିଏଲ୍ ଟାଇଟଲ ଜିତିବା ପରେ ଆର୍‌ସିବି ଟିମ୍ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭବ୍ୟ ଉତ୍ସବ ପାଳନ କରୁଥିବା ବେଳେ ବହୁତ ବଡ଼ ଅଘଟଣ ଘଟିଛି। ଷ୍ଟାଡିୟମ ବାହାରେ ପ୍ରବଳ ଜନସମାଗମ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇ ଦଳାଚକଟାରେ ଏଗାର ଜଣଙ୍କର ମୃତ୍ୟୁ ଏବଂ ୪୭ ଜଣ ଆହତ ହେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏତିକି ବେଳେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ) ଏହି କାର୍ଯ୍ୟକ୍ରମ ଚାହୁଁଥିଲେ, ସରକାର କେବଳ ସମର୍ଥନ ଦେଇଛନ୍ତି। 

Advertisment

“ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଛନ୍ତି ଯେ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ହେବ। ଆରସିବି ଏବଂ କ୍ରିକେଟ୍ ସଂଘ (କେଏସସିଏ) ଏହି ସମାରୋହ ଚାହୁଁଥିଲେ ଏବଂ ଆମେ କହିଥିଲୁ ଯେ ଆମେ କେବଳ ସମର୍ଥନ କରିବୁ,” ବୋଲି ପରମେଶ୍ୱର ଗଣମାଧ୍ୟମକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଷ୍ଟାଡିୟମ ବାହାରେ ଏଭଳି ଅଘଟଣ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୁଲିସ ବାହିନୀର ବ୍ୟାପକ ପ୍ରୟାସ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୋଟିଏ ପଟେ ଷ୍ଟାଡିୟମ ବାହାରେ ଏଭଳି ଦୁଃଖଦ ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟପଟେ ଷ୍ଟାଡିୟମ ଭିତରେ ଉତ୍ସବ ଚାଲିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।