ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ତୌତେ ପ୍ରଭାବରେ ଗୁଜୁରାଟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଗୁଜୁରାଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅନୁଧ୍ୟାନ ପରେ ସେ ଅହମ୍ମଦାବାଦରେ ଏକ ବୈଠକ କରି ଗୁଜୁରାଟରେ ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ୧,୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଗୁଜୁରାଟର ଗିର ସୋମନାଥ, ଆମ୍ରେଲି ଏବଂ ଭବନଗର ଜିଲ୍ଲା ଏବଂ ଦିୟୁର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ବିଭିନ୍ନ ରାଜ୍ୟରେ ବାତ୍ୟା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ୫୦,୦୦୦ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି |
ଗୁଜୁରାଟକୁ ଏକାସାଙ୍ଗରେ ୧ହଜାର କୋଟି ସହାୟତା ଯୋଗାଇ ଦିଆଯିବ ଏବଂ କ୍ଷୟକ୍ଷତିର ଆକଳନ କରିବାକୁ ଏକ ଆନ୍ତଃ ମନ୍ତ୍ରୀ ଦଳ ରାଜ୍ୟ ଗସ୍ତ କରିବା ପରେ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
/sambad/media/post_attachments/a88912a0ba5f2c618c66ff0892fd470aefa3e78d5ef30bdd3af8703eaffa5c5f.jpg)
ଉଲ୍ଲେଖଯୋଗ୍ୟ, ସାମୁଦ୍ରିକ ଝଡ ତୌତେ ପ୍ରଭାବରେ ଗୁଜୁରାଟର ଉପକୂଳବର୍ତ୍ତି ଅଞ୍ଚଳମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଛି । ବିଜୁଳି ଖୁଣ୍ଟଗୁଡିକ ଉପୁଡି ପଡିବା ସହ ରାସ୍ତାଘାଟ ଧୋଇ ହୋଇଯାଇଛି । ଏହାସହ ଅନେକ ଘର ଭାଙ୍ଗିଛି । ଅନ୍ୟପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।
ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସୂଚନା ମୁତାବକ ଝଡର ପ୍ରଭାବରେ ୧୬ ହଜାର ଘର ଭାଙ୍ଗିଥିବା ବେଳେ ୪୦ ହଜାରରୁ ଅଧିକ ଗଛ ଉପୁଡି ପଡିଛି | ୭୦ ହଜାରରୁ ଅଧିକ ବିଜୁଣି ଖୁଣ୍ଟ ଭାଙ୍ଗିଛି | ଏହାସହ ୫୯୫୧ ଗାଁକୁ ବିଜୁଳି ସରବରାହ ବନ୍ଦ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଗୁଜୁରାଟକୁ ଆଗରୁ ଆସିଥିବା ବାତ୍ୟା ମଧ୍ୟରୁ ଏହା ସବୁଠାରୁ ବଡ ବାତ୍ୟା ଥିଲା।