ତିରୁଅନନ୍ତପୁର: ନ୍ୟୁଜିଲାଣ୍ଡକୁ ଭାରତ ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲାରେ ୪୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ଶୃଙ୍ଖଳାକୁ ୪-୧ରେ ବିଜୟ ହାସଲ କରିଛି। ତିରୁଅନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୨୫ ରନ୍‌ କରିପାରିଛି। ଭାରତ ପକ୍ଷରୁ ଯୁବ ବୋଲର ଅର୍ଶଦୀପ ସିଂହ ସର୍ବାଧକ ୫ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। 

Advertisment

ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଈଶାନ କିଶନଙ୍କ ଶତକ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୭୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୭୨ ରନ୍‌ର ଲକ୍ଷ୍ୟ ମିଳିଥିଲା

ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଈଶାନ କିଶନଙ୍କ ପ୍ରଥମ ଶତକ ଏବଂ ଅଶର୍ଦୀପ ସିଂହଙ୍କ ପ୍ରଥମ ୫ ୱିକେଟ୍‌ ସଫଳତା ବଳରେ ଭାରତ ଶନିବାର ନ୍ୟୁଜିଲାଣ୍ଡ୍‌କୁ ୪୬ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। ଏଥି ସହିତ ବିଶ୍ବକପ୍‌ ଆରମ୍ଭର ସପ୍ତାହକ ପୂର୍ବରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପଞ୍ଚମ ଓଭର ଭିତରେ ସଂଜୁ ସାମ୍‌ସନ୍ (୬) ଓ ଅଭି‌ଷେକ ଶର୍ମା (୧୬ ବଲ୍‌ରୁ ୩୦ ରନ୍)ଙ୍କୁ ହରାଇଥିଲା। କିନ୍ତୁ ପୁଣି ଚୂଡାନ୍ତ ଏକାଦଶକୁ ‌ଫେରିଥିବା ଈଶାନ କିଶନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ମାତ୍ର ୯.୩ ଓଭରରେ ୧୩୭ ରନ୍‌ ଯୋଡ଼ିଥିଲେ। ଈଶାନ ୨୮ ବଲ୍‌ରୁ ଏବଂ ସୂର୍ଯ୍ୟ ମାତ୍ର ୨୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଈଶ ସୋଢ଼ୀଙ୍କ ଗୋଟିଏ ଓଭରର ସମସ୍ତ ବଲ୍‌କୁ ସୀମା ରେଖା ସେପାଖକୁ ପଠାଇ ଈଶାନ ୨୯ ରନ୍ (୧ୱାଇଡ୍‌, ୪,୪,୪,୬,୪,୬) ଆଦାୟ କରିଥିଲେ। ଶେଷକୁ ଈଶାନ ମାତ୍ର ୪୨ ବଲ୍‌ରୁ ଶତକ ପୂର୍ଣ୍ଣ କରି ତ୍ରିଭେନ୍ଦ୍ରମ ଦର୍ଶକଙ୍କୁ ବିମୋହିତ କରି ଦେଇଥିଲେ। ଭ୍ରମଣକାରୀ ଅଧିନାୟକ ମିଚେଲ୍ ସାଣ୍ଟନର୍‌ଙ୍କୁ ଲଗାତାର ଛକା ମାରି ଶତକ ପୂର୍ଣ୍ଣ କରିବା ମଧ୍ୟ ନିଆରା ମାହୋଲ ଆଣି ଦେଇଥିଲା। ଈଶାନଙ୍କ ଏହି ୪୩ ବଲ୍‌ ୧୦୩ ରନ୍‌ ପାଳିରେ ୧୦ ଛକା ଓ ୬ ଚୌକା ସାମିଲ ଥିଲା। ସୂର୍ଯ୍ୟ ୩୭ ବଲ୍‌ରୁ ୬୩ ରନ୍ ଏବଂ ହାର୍ଦିକ ୩୦ ବଲ୍‌ରୁ ୪୩ ରନ୍ ସଂଗ୍ରହ‌ କରିବାରୁ ଭାରତ ୨୭୧ ରନ୍‌ରେ ପହଞ୍ଚିଯାଇଥିଲା। ନବମ ଓଭର ସୁଦ୍ଧା ଭାରତ ୮୨/୨ରେ ଥିଲେ ମଧ୍ୟ ଶେଷ ୧୧ ଓଭରରୁ ୧୮୯ ରନ୍‌ ଯୋଡ଼ିଥିଲା ଏହି ତିନିଙ୍କ ଭୟଙ୍କର ବ୍ୟାଟିଂ କାରଣରୁ। ଭାରତ ପାଳିରେ ୨୩ ଛକା ମଧ୍ୟ ଘରୋଇ ଦଳ ପାଇଁ ଯୁଗ୍ମ ସର୍ବାଧିକ ହୋଇଥିଲା। ପାଳିର ୨୭୧ ରନ୍‌ କିନ୍ତୁ ଭାରତ ପାଇଁ ତୃତୀୟ ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର୍‌ ହୋଇଥିଲା।
ଜବାବରେ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଧମାକାଦାର ଆରମ୍ଭ କରିଥିଲା। ନିଜ ପ୍ରଥମ ୨ ଓଭରରେ ୪୦ ରନ୍ ବ୍ୟୟ କରିଥିବା ଅର୍ଶଦୀପ ସିଂହ ତୃତୀୟ ଓଭରରେ ମାତ୍ର ଗୋଟିଏ ରନ୍‌ ଦେଇ ୨ ୱିକେଟ୍ ବାହାର କରିବା ମ୍ୟାଚ୍‌ରେ ମୋଡ଼ ଆଣିଥିଲା। ଅକ୍ଷର ପଟେଲ୍‌ ବି କ୍ରମାଗତ ଓଭରରେ ୨ ୱିକେଟ୍‌ ବାହାର କରିବା ନିର୍ଣ୍ଣାୟକ ହୋଇଥିଲା। ଆଲେନ୍‌ ମାତ୍ର ୩୮ ବଲ୍‌ରୁ ୮୦ ରନ୍‌ କରିଥିଲଶ ବେଳେ ଅକ୍ଷର ପଟେଲ ତାଙ୍କୁ ପ୍ୟାଭିଲିଅନ୍‌ ପଠାଇବା ପରେ ଭାରତ ଆସ୍ତେ ଆସ୍ତେ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇଥିଲା। ଅଶର୍ଦୀପ ତାଙ୍କ ଶେଷ ଓଭରରେ ୨ ୱିକେଟ୍‌ ଅକ୍ତିଆର କରି ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୫ ୱିକେଟ୍‌ ସଫଳତା ପାଇଥିଲେ। ପାୱାର ପ୍ଲେ’ ଭିତରେ ୫୦ ୱିକେଟ୍‌ ନେବାରେ ସେ ମଧ୍ୟ ହୋଇଥିଲେ ପ୍ରଥମ ଭାରତୀୟ। ଅଭିଜ୍ଞ ଯଶପ୍ରୀତ୍‌ ବୁମ୍‌ରା ତାଙ୍କ ୪ ଓଭରରେ ୫୮ ରନ୍ ବ୍ୟୟ କରି ୱିକେଟ୍‌ ନ ପାଇବା ଏକମାତ୍ର ନିରାଶା ଆଣିଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ-୨୭୧/୫ (ଈଶାନ କିଶନ ୧୦୩, ସୂର୍ଯ୍ୟକୁମାର ଯାଦବ ୬୩, ହାର୍ଦିକ ପାଣ୍ଡ୍ୟା ୪୨, ଅଭିଷେକ ଶର୍ମା ୩୦, ଲୋକି ଫର୍ଗୁସନ୍‌-୨/୪୧)। ନ୍ୟୁଜିଲାଣ୍ଡ୍‌ ୧୯.୪ ଓଭରରେ ୨୨୫/୧୦ (ଫିନ୍ ଆଲେନ୍‌ ୮୦, ଈଶ ସୋଢ଼ୀ ୩୩, ରାଚିନ ରବୀନ୍ଦ୍ର ୩୦, ଡାରିଲ୍‌ ମିଚେଲ୍‌ ୨୬, ଅର୍ଶଦୀପ ସିଂହ-୫/୫୧, ଅକ୍ଷର ପଟେଲ୍‌-୩/୩୩, ରିଙ୍କୁ ସିଂହ-୧/୭, ବରୁଣ ଚକ୍ରବର୍ତ୍ତୀ-୧/୩୬)।