ହରାରେ: ଜିମ୍ବାୱେର ହରାରେସ୍ଥିତ ହରାରେ ସ୍ପୋର୍ଟସ କ୍ବବରେ ଶୁକ୍ରବାର ଦିନ ଜାରି ଥିବା ଇଂଲଣ୍ଡ ବିପକ୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ୧୭୫ ରନ୍‌ର ବିସ୍ଫୋରକ ପାଳି ଖେଳିବା ସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ-

Advertisment

୧୭୫ ରନ୍‌: ଯୁବ ବିଶ୍ବକପ୍‌ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ବ୍ୟକ୍ତିଗତ ୧୫୦+ ରନ୍‌ ସ୍କୋର୍‌ ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରଣ (୨୦୧୪ କ୍ବାର୍ଟରଫାଇନାଲ୍‌, ଇଂଲଣ୍ଡ) ୧୪୩ ସର୍ବୋଚ୍ଚ ସ୍କୋର୍‌ ଥିଲା। ଫାଇନାଲ୍‌ରେ ଭାରତର ଉନ୍ମୁକ୍ତ ଚାନ୍ଦ (୧୧୧*, ଅଷ୍ଟ୍ରେଲିଆ, ୨୦୧୨) ଶତକ ହାସଲ କରିଥିଲେ। ଯୁବ ଦିନିକିଆରେ ଗୋଟିଏ ପାଳିରେ ଏହା ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍‌। ଏହି ରେକର୍ଡ ଭାରତର ଅମ୍ବାତି ରାୟୁଡ଼ି ୧୭୭* (୨୦୦୨, ଇଂଲଣ୍ଡ)ଙ୍କ ନାମରେ ରହିଛି। ଗତ ଡିସେମ୍ବରରେ ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀଙ୍କ ୧୭୧ ରନ୍‌ ତୃତୀୟରେ ରହିଛି।
୧୪ ବର୍ଷ ୩୧୬ ଦିନ: ଯୁବ ବିଶ୍ବକପ୍‌ରେ ଶତକ ଅର୍ଜନ କରିବାରେ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ବାବାର ଆଜମ (୧୫ ବର୍ଷ ୯୨ ଦିନ)ଙ୍କ ନାମରେ ଥିଲା।
୫୫ ବଲ୍‌ରେ ଶତକ: ଏହା ଦ୍ବିତୀୟ ଦ୍ରୁତତମ ଶତକ ହୋଇଛି। ତାଙ୍କ ଆଗରେ ଅଷ୍ଟ୍ରେଲିଆର ୱିଲ୍‌ ମାଲାଜୁକ୍‌ (୫୧ ବଲ୍‌, ଜାପାନ ବିପକ୍ଷ ୨୦୨୬) ରହିଛନ୍ତି।

୨୧୮.୭୫ ଷ୍ଟ୍ରାଇକ୍‌ରେଟ୍‌: ସୂର୍ଯ୍ୟବଂଶୀଙ୍କ ୮୦ ବଲ୍‌ରୁ ୧୭୫ ରନ୍‌ ଗୋଟିଏ ପାଳିରେ ବ୍ୟକ୍ତିଗତ ସର୍ବୋଚ୍ଚ ଷ୍ଟ୍ରାଇକ୍‌ରେଟ୍‌। ତାଙ୍କ ପଛରେ ରହିଛନ୍ତି ୱିଲ୍‌ ମାଲାଜୁକ୍‌ (୧୮୫.୪୫)।
୩୦ ଛକା: ଗୋଟିଏ ଯୁବ ବିଶ୍ବକପ୍‌ ଇତିହାସରେ ବ୍ୟକ୍ତିଗତ ମୋଟ ଛକାରେ ଏହା ସର୍ବାଧିକ। ୧୮ ଛକା ସହ ପୂର୍ବରୁ ଯୁଗ୍ମ ଭାବେ ଆଗରେ ଥିବା ଡେୱାଲ୍ଡ ବ୍ରେଭିସ୍‌ (୨୦୨୨) ଓ ଫିନ୍‌ ଆଲିନ (୨୦୧୬, ୨୦୧୮)ଙ୍କୁ ସୂର୍ଯ୍ୟବଂଶୀ ପଛରେ ପକାଇଛନ୍ତି।

୧୫ ଛକା: ଯୁବ ଦିନିକିଆ ପ୍ରତିଯୋଗିତାର ଗୋଟିଏ ପାଳିରେ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ବି ସୂର୍ଯ୍ୟବଂଶୀ (୧୪ ଛକା, ୟୁଏଇ, ୨୦୨୫ ଡିସେମ୍ବର)ଙ୍କ ନାଁରେ ଥିଲା।
୪୩୯ ରନ୍‌: ଯୁବ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ଏହା ଚତୁର୍ଥ ସର୍ବାଧିକ ସ୍କୋର୍‌। ସୂର୍ଯ୍ୟବଂଶୀଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ (୫୦୬, ୨୦୨୨), ଭାରତର ଶିଖର ଧାୱନ (୫୦୫, ୨୦୦୪) ଓ ଅଷ୍ଟ୍ରେଲିଆର ବ୍ରେଟ୍‌ ୱିଲିୟମ୍‌ (୪୭୧, ୧୯୮୮) ରହିଛନ୍ତି।