ଜଟିଳ ହେଉଛି ଟିକା ଅଭାବ, ବନ୍ଦ ହେଲାଣି ୭ଶହ ଟିକାକରଣ କେନ୍ଦ୍ର

ସ୍ବାସ୍ଥ୍ୟ ଏସିଏସ୍‌ଙ୍କ ପରେ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ତୁରନ୍ତ ଦିଅ ୨୫ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଟିକାର ଅଭାବ ଜଟିଳ ହେବାରେ ଲାଗିଛି। ଆବଶ୍ୟକ ପରିମାଣର ଟିକା ନ ଥିବାରୁ ରାଜ୍ୟ ସରକାର ପ୍ରାୟ ୭ଶହ ଟିକାଦାନ କେନ୍ଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଯାହାଫଳ‌ରେ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ ବଦଳରେ ଏବେ ଦୈନିକ ୧ଲକ୍ଷରୁ ସାମାନ୍ୟ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କମ୍ ସଂଖ୍ୟକ ଟିକାଦାନକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଆବଶ୍ୟକ ପରିମାଣର ଟିକା ଯୋଗାଇ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଠିକ୍ ସମୟରେ ଟିକା ନ ପହଞ୍ଚିଲେ ଟିକାଦାନ ବ୍ୟାହତ ହେବ ବୋଲି ଉଲ୍ଲେଖ କରିଛନ୍ତି।

ମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ଆଜି ସକାଳ ୧୦ଟା ସୁଦ୍ଧା ରାଜ୍ୟରେ ୫.୩୪ ଲକ୍ଷ ‘କୋଭିସିଲ୍‌ଡ’ ଡୋଜ୍ ମହଜୁଦ ରହିଛି। ଆସନ୍ତା ୨ଦିନ ପାଇଁ ଟିକାକରଣ ସମ୍ଭବ ହୋଇପାରିବ। ତେଣୁ ଆସନ୍ତା ୯ତାରିଖରୁ ରାଜ୍ୟରେ ଟିକାର ଅଭାବ ଅନୁଭୂତ ହେବ। ରାଜ୍ୟରେ ଏବେ ଦୈନିକ ୨.୫ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ମାତ୍ର ଟିକାର ଅଭାବ ଯୋଗୁଁ ରାଜ୍ୟରେ ପୂର୍ବରୁ ୧୪ଶହ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଥିବା ବେଳେ ଏବେ ୭୫୫ଟି କେନ୍ଦ୍ର ଚାଲୁ ରହିଛି। ରାଜ୍ୟରେ ଟିକାକରଣ ପରିଚାଳନା କାର୍ଯ୍ୟ ଅଧିକ ସତର୍କତାର ସହ କରାଯାଉଛି। ପରିଣାମସ୍ବରୂପ ରାଜ୍ୟରେ ମାତ୍ର ୦.୫ ପ୍ରତିଶତ ଟିକା ନଷ୍ଟ ହେଉଛି। ଯାହାକି ଦେଶର ଅନ୍ୟତମ ସର୍ବନିମ୍ନ। ତେଣୁ ରାଜ୍ୟରେ ଠିକ୍ ସମୟରେ ଟିକା ନ ପହଞ୍ଚିଲେ ଟିକାକରଣ କାର୍ଯ୍ୟ ବ୍ୟାହତ ହେବା ସହିତ ଦ୍ବିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀଙ୍କ ଟିକାଦାନରେ ବିଳମ୍ବ ହେବ। ତେଣୁ ଆସନ୍ତା ୧୦ଦିନ ପାଇଁ ୨୫ଲକ୍ଷ ‘କୋଭିସିଲ୍‌ଡ’ ଟିକା ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଆଜି ୭୮୦ଟି ଟିକାଦାନ କେନ୍ଦ୍ରରେ ୧ଲକ୍ଷ ୧୦ହଜାର ୮୮୯ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୬୬ହଜାର ୯୬୧ଜଣ ୪୫ବର୍ଷରୁ ଅଧିକ ପ୍ରଥମ ଡୋଜ୍ ଓ ୧୧୭୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୬୦ବର୍ଷରୁ ଅଧିକ ୩୪,୫୯୯ଜଣ ପ୍ରଥମ ଓ ୬୯୯୩ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ ୩୮ଲକ୍ଷ ୫୨ହଜାର ୦୦୬ଜଣ ଟିକା ନେଇ ସାରିଲେଣି। ଗତ ୫ତାରିଖରେ ରାଜ୍ୟରେ ୧୪୭୨ ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର