କୋଲକାତା: ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ଲଞ୍ଚ ବକ୍ସ କେଉଁ ଖାଦ୍ୟ ଆଣୁଛନ୍ତି, ସେନେଇ ଭେଜ୍ କିମ୍ବା ନନ୍-ଭେଜର ଷ୍ଟିକର ଟିଫିନ୍ ବକ୍ସ ଉପରେ ଲଗାଇବା ପାଇଁ ପଡିବ। ସ୍କୁଲ ପିଲାମାନଙ୍କର ଖାଦ୍ୟକୁ ନେଇ କୋଲକାତା ସହରର କିଛି ବୁଦ୍ଧିଜୀବି ଏବଂ ଅଭିଭାବକଙ୍କ ମଧ୍ୟରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି । କିଛି ବ୍ୟକ୍ତି ଟିଫିନ୍ ବକ୍ସରେ ନନ୍-ଭେଜ୍ ଖାଦ୍ୟ ନେବାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକେ ଏହାକୁ ବିରୋଧ କରୁଛନ୍ତି ।
ପ୍ରକୃତ ଘଟଣାଟି ହେଉଛି କିଛି ଏପରି, କୋଲକାତାର ଏକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ନିଜ ସାଙ୍ଗମାନଙ୍କ ସହ ଚିକେନ୍ ସେୟାର କରି ଖାଇଥିଲେ । ସ୍କୁଲ ପିଲାମାନେ ନନ୍-ଭେଜ୍ ଖାଇବା ଘଟଣା ଏତେ ବିବାଦୀୟ ହୋଇପଡିଛି ଯେ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏଥି ପାଇଁ ଏକ ନୂଆ ନିୟମ ଜାରି କରିବାକୁ ପଡିଛି । ଛାତ୍ରମାନଙ୍କୁ ନୋଟିସ ଜାରି କରି କୁହାଯାଇଛି ଯେ, ସେମାନେ ସ୍କୁଲକୁ ନନ୍-ଭେଜ୍ ଖାଦ୍ୟ ଆଣିପାରିବେ ନାହିଁ । ଏହା ପରେ ଅନ୍ୟ ସ୍କୁଲଗୁଡିକରେ ମଧ୍ୟ ଏନେଇ କିଛି ନିୟମ ଆଣିବାକୁ ପଡିଛି ।
ସୂଚନା ଅନୁଯାୟୀ, ସ୍କୁଲର ଜଣେ ଛାତ୍ର ଟିଫିନ୍ ବାକ୍ସରେ ଚିକେନ୍ ସ୍ୟାଣ୍ଡଉଇଜ୍ ଆଣିଥିଲା । ଆଉ ଏହାକୁ ସେ କିଛି ଶାକାହାରୀ ସାଙ୍ଗମାନଙ୍କ ସହ ଏହାକୁ ସେୟାର କରିଥିଲା। ଏହି ବାବଦରେ ନିକଟରେ ଥିବା ଛାତ୍ରମାନେ ଜାଣିବା ପରେ ସ୍ୟାଣ୍ଡଉଇଜ ଆଣିଥିବା ଛାତ୍ର ସହ ମାରପିଟ୍ ହୋଇଥିଲା । ଆଉ ଅଭିଭାବକମାନଙ୍କୁ ଏହି ଘଟଣା ଜଣାପଡିବା ପରେ ମାମଲା ଆହୁରି ଗମ୍ଭୀର ହୋଇଯାଇଥିଲା । ଏପରିକି ଏହି ଘଟଣା ପରେ ଛାତ୍ରମାନେ ଟିଫିନ୍ ବକ୍ସରେ କଣ ଆଣିପାରିବେ ସେନେଇ ଏକ ସ୍କୁଲ ପକ୍ଷରୁ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ସ୍କୁଲରେ ପିଲାମାନଙ୍କ ନନ୍-ଭେଜ ଖାଇବା ଉପରେ ରୋକ ଲଗାଯାଇଛି । ଆଉ କିଛି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ଟିଫିନ୍ ବକ୍ସରେ ଭେଜ୍ କିମ୍ବା ନନ୍-ଭେଜର ଷ୍ଟିକର ଲଗାଇବା ପାଇଁ କୁହାଯାଇଛି।