ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଆସିଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆଗାମୀ ୬ ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମ୍‌ କୋର୍ଟ ଆଜି ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କ ବିରୋଧରେ ୧୧ଟି ଅଭିଯୋଗ ଥିଲେ ମଧ୍ୟ ଏ ଦିଗରେ ନିର୍ବାଚନ କମିସନ ପକ୍ଷପାତପୂର୍ଣ୍ଣ ନୀତି ଧରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ଟି ଭାଷଣରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇନାହିଁ ବୋଲି ଦର୍ଶାଇ ନିର୍ବାଚନ କମିସନ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇ ଦେଇଛନ୍ତି। ଆଜି ‘ପରମାଣୁ ଅସ୍ତ୍ର ବ୍ୟବହାର’ ସଂପର୍କିତ ପ୍ରଧାନମନ୍ତ୍ରୀଙ୍କ ଭାଷଣ ନେଇ ନିର୍ବାଚନ କମିସନ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଏବେ ମୋଦୀ-ଶାହଙ୍କ ବିରୋଧରେ ବିଚାର ପାଇଁ ଆଉ ୮ଟି ମାମଲା ରହିଛି। ପ୍ରଧାନବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୂର୍ବରୁ କହିଥିଲେ ଯେ ଏହି ଅଭିଯୋଗ ଉପରେ କିଭଳି ନିଷ୍ପତ୍ତି ‌ନିଆଯିବା ସେ ସ୍ବାଧୀନତା ନିର୍ବାଚନ କମିସନଙ୍କର ରହିଛି। ପ୍ରଧାନମନ୍ତ୍ରୀ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ଭାଷଣ ଦେଇଥିବା ନେଇ କଂଗ୍ରେସର ଅଭିଯୋଗକୁ ନିର୍ବାଚନ କମିସନ ଖାରଜ କରିଦେଇଛନ୍ତି। ଭାଷଣର ତର୍ଜମା ପରେ ସେଭଳି କିଛି ହୋଇନାହିଁ ଏବଂ ଅଭିଯୋଗ କେବଳ ରାଜନୈତିକ ଥିଲା ବୋଲି କମିସନ କହିଛନ୍ତି। ଅନ୍ୟପକ୍ଷରେ ବାଲାକୋଟ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ପାଇଁ ମଧ୍ୟ ତାଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।

Advertisment

‘ଆଦିବାସୀ ବିରୋଧୀ ଆଇନ’ ଟିପ୍ପଣୀ, ରାହୁଲଙ୍କୁ ଇସି ନୋଟିସ୍‌

publive-image zeenews.india.com

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ବିରୋଧରେ ଦେଇଥିବା ‘ଆଦିବା‌ସୀ ବିରୋଧୀ ଆଇନ’ ଟିପ୍ପଣୀ ପାଇଁ ତାଙ୍କୁ ଆଜି ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ମଧ୍ୟପ୍ରଦେଶର ଶାହଦୋଲ୍‌ରେ ରାହୁଲ ଗତ ଏପ୍ରିଲ ୨୩ ତାରିଖରେ ଏକ ନିର୍ବାଚନୀ ରୢାଲି‌ରେ କହିଥିଲେ ଯେ, ମୋଦୀଙ୍କ ନେନୃତ୍ବାଧୀନ ଏନ୍‌ଡିଏ ସରକାର ଆଦିବାସୀମାନଙ୍କ ପାଇଁ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ନୂଆ ଆଇନ ବଳରେ ପୁଲିସ ଅଧିକାରୀମାନେ ଆଦିବା‌ସୀମାନଙ୍କୁ ଗୁଳି କରିପାରିବେ। ତେବେ ରାହୁଲଙ୍କର ଏହି ଟିପ୍ପଣୀକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏନେଇ ଇସି ଗତକାଲି ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ଏ ବାବଦରେ ରାହୁଲ ୪୮ ଘଣ୍ଟା ମଧ୍ୟରେ ଜବାବ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ଯଦି ୪୮ ଘଣ୍ଟା ମଧ୍ୟରେ ଜବାବ ନ ରଖନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନିର୍ବାଚନ କମିସନ ଚେତାଇ ଦେଇଛନ୍ତି। ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଯାବତ୍‌ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଏକ ରୢାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ରାହୁଲ ହତ୍ୟା ଅଭିଯୁକ୍ତ ବୋଲି କହିବା ମାମଲାରେ ନିର୍ବାଚନ କମିସନ ରାହୁଲଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି।