ପୁଲିସ ଯଦି ନିଜର ସୁରକ୍ଷା କରିବାରେ ସକ୍ଷମ ନୁହେଁ, ତେବେ ତାଙ୍କଠୁ କ’ଣ ଆଶା କରାଯାଇପାରିବ ? ଭିଡ ହିଂସାରେ ମୃତ କନେଷ୍ଟବଲଙ୍କ ପୁଅ ପଚାରିଲେ ଏହି ପ୍ରଶ୍ନ

ଲକ୍ଷ୍ନୗ:  ଉତ୍ତର ପ୍ରଦେଶର ଗାଜିପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ପରେ ହିଂସ୍ର ଭିଡ ପୁଲିସ ଟିମ୍ ଉପରେ କରିଥିବା ପଥର ମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଯାଇଛି । ଏଥିସହ ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ମାମଲାରେ ପୁଲିସ ଏବେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ମାମଲାରେ ୩୨ଜଣ ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରିଛି । ଘଟଣାରେ ଜଡ଼ିତ ଥିବା ସଂଦେହରେ ୧୧ଜଣଙ୍କୁ ଗିରଫ କରାଯାଇଛି।

ମୃତକ କନେଷ୍ଟବଳ ସୁରେଶ ବତ୍ସଙ୍କ ପୁଅ ବିପି ସିଂହ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ, ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ନିଷାଦ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ପଥରମାଡ ଦ୍ୱାରା ହୋଇଥିବା ଜଣାପଡ଼ିଛି।

ମୃତ ସୁରେଶଙ୍କ ପୁଅ କହନ୍ତି କି, ପୁଲିସ ଯଦି ନିଜର ସୁରକ୍ଷା କରିବାରେ ସକ୍ଷମ ନୁହେଁ । ଆମେ ତାଙ୍କଠୁ କ’ଣ ଆଶା ରଖିବା ? ଏବେ କ୍ଷତିପୂରଣ ନେଇ ଆମେ କ’ଣ କରିବୁ ? ଏହା ପୂର୍ବରୁ ମଧ୍ୟ ବୁଲନ୍ଦ ସହର ଓ ପ୍ରତାପଗଡ଼ରେ ଏମିତି ଘଟଣା ହୋଇସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ପୁଲିସଙ୍କ ପରିଜନଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ଜଣେ ପରିଜନଙ୍କୁ ଚାକିରି ତଥା ଅସାଧାରଣ ପେନସନ୍ ଦିଆଯିବାର ନିର୍ଦ୍ଦେଶ ଦେଇଛନ୍ତି ।

ନିହତ ‌କନେଷ୍ଟବଳ କାରିମୁଦ୍ଦିନ୍‌ପୁର ଥାନାରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ନାମ ସୁରେଶ ବତ୍ସ ବୋଲି ଜଣାପଡ଼ିଛି। ନିଶାଦ ପାର୍ଟି ସମର୍ଥକମାନେ ସଂରକ୍ଷଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଚଳାଇଥିବା ବେଳେ ସେହି ରାସ୍ତା ଦେଇ ସେ ଫେରୁଥିଲେ। ବିକ୍ଷୋଭକାରୀମାନଙ୍କ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହାଦେଖି ପୁଲିସ କର୍ମଚାରୀ ହସ୍ତକ୍ଷେପ କରିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଜଣେ ବି‌କ୍ଷୋଭକାରୀ ଏକ ବଡ଼ ପଥରରେ ସୁରେଶଙ୍କୁ ଆଘାତ କରିଥିବା ଜଣାପଡ଼ିଛି। ଆକ୍ରମଣ ପରେ ସେମାନେ ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର