ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ଇଞ୍ଜିନିୟରଙ୍କ ମୃତ୍ୟୁ
ରାୟଗଡ଼ା : ଦିନକୁ ଦିନ କରୋନାର ଦାରୁଣ ଦୁଃଖ ଅସହ୍ୟ ହେବାରେ ଲାଗିଛି। ଗୁଣପୁର ସହରରେ କ ମୃତ୍ୟୁ ହାର କମୁନଥିବାରୁ ଗୋଟିଏ ପରେ ଗୋଟିଏ ପରିବାର ଉଜୁଡ଼ିବାରେ ଲାଗିଛି। ଗତ ୪ ଦିନ ମଧ୍ୟରେ ଚିକିତ୍ସିତ ଅବସ୍ଥାରେ ବାପା-ପୁଅ, ଗର୍ଭବତୀ ମହିଳା, ଯୁବ ସପ୍ଟୱେୟାର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା ସହରବାସୀଙ୍କୁ ଚକିତ କରିଛି।
ଗୁଣପୁର ମୋତିଲାଲ ନଗରରେ ରହୁଥିବା ବିଦ୍ୟୁତ୍ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ବିନୋଦ ଦାଶ (୬୫) କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଜେକେପୁର କୋଭିଡ଼୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିନୋଦଙ୍କ ମୃତ୍ୟୁ ହୋଇଥିଲା। ପ୍ରଶାସନ ନିଜ ପ୍ରଚେଷ୍ଟାରେ ଶେଷକୃତ୍ୟ ସଂପନ୍ନ କରିଥିଲା। ଏହା ଭିତରେ ବିନୋଦଙ୍କ ପୁଅ ମାନସ ଦାଶ (୩୨) ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଥିଲେ। ବାପାଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ପଡିଥିବା ମାନସଙ୍କ ଅବସ୍ଥା ଗୁରୁବାର ଅପରାହଣରେ ଗୁରୁତର ହୋଇ ପଡ଼ିଥିଲା। ମାନସଙ୍କ ଅକ୍ସିଜେନ୍ ସ୍ତର କ୍ରମଶଃ ତଳକୁ ଖସି ୨୦ରେ ପହଞ୍ଚି ଯାଇଥିଲା। ସଂପର୍କୀୟଙ୍କଠୁ ଖବର ପାଇ ଡାକ୍ତରୀ ଟିମ୍ ମାନସଙ୍କ ଘରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। ସ୍ଥିତି ଜଟିଳ ଥିବାରୁ ଡାକ୍ତରଖାନାକୁ ମାନସଙ୍କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ସେହିପରି ଗୁଣପୁର ବେର୍ବତ୍ତା ସାହିର ସପ୍ଟୱେୟାର ଇଞ୍ଜିନିୟର୍ କାଣ୍ଡିଆନା ଗିରିଧର (୪୨) କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମର ମୁଖୀ ଶ୍ବେତା କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ଜେକେପୁର କୋଭିଡ଼୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖୀ ଗର୍ଭବତୀ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜୟପୁର କୋଭିଡ଼୍ ହସପିଟାଲାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଜୟପୁର କୋଭିଡ଼୍ ହସପିଟାଲରେ ମୁଖୀଙ୍କ ମୃତ୍ୟୁ ହୋଇଛି। ଗତ ମାସକ ମଧ୍ୟରେ ସହରରେ କେବଳ ୧୦ରୁ ଉର୍ଧ୍ବ ଯୁବକ/ଯୁବତୀଙ୍କ ମୃତ୍ୟୁ ହେଲାଣି। ଯାହା ଆକ୍ରାନ୍ତଙ୍କ ପରିବାରର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଆତ୍ମୀୟ ସ୍ବଜନକୁ ହରାଇବାର ଦୁଃଖରେ ଅନେକ ଲୋକ ମାନସିକ ଭାରସାମ୍ୟ ହରାଇବା ସହ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଉଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ୍ ମାସରେ ଗୁଣପୁର ପୋଷ୍ଟ ଅଫିସ୍ ସାହିର ଯୁବ ବ୍ୟବସାୟୀ ବାବୁ ସାହୁ ଓ ତାଙ୍କ ବାପା ଚନ୍ଦ୍ରଶେଖର ସାହୁ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଦିନ ବ୍ୟବଧାନରେ ଜେକେପୁର କୋଭିଡ଼୍ ହସପିଟାଲରେ ମୃତ୍ୟୁବରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead.jpg)