ନୂଆଦିଲ୍ଲୀ: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି। ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ମିଳିଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ଘେରି ରହିଛି। ଏବେ ଚାମ୍ପିଅନ୍ସ ଟ୍ରଫି ସହିତ ଜଡିତ ଏକ ନୂତନ ବିବାଦ ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ପୋଲିସ କର୍ମଚାରୀମାନେ ଚାମ୍ପିଅନ୍ସ ଟ୍ରଫିରେ ଡ୍ୟୁଟି କରିବାକୁ ମନା କରିଦେଇଥିଲେ।

Advertisment

ଯାହା ପରେ ୧୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଇଛି। ପଞ୍ଜାବ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ବହିଷ୍କୃତ ପୋଲିସକର୍ମୀ ବାରମ୍ବାର ଡ୍ୟୁଟିରୁ ଗାୟବ ରହୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଅନ୍ୟପଟେ କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚାମ୍ପିଅନ୍ସ ଟ୍ରଫିରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଡ୍ୟୁଟି କରିବାକୁ ମନା କରିଥିଲେ। ପଞ୍ଜାବ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ପୋଲିସ କର୍ମଚାରୀମାନଙ୍କୁ ଲାହୋରର ଗଦ୍ଦାଫି ଷ୍ଟାଡିୟମ ଏବଂ ହୋଟେଲ ମଧ୍ୟରେ ଖେଳାଳିଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା କିନ୍ତୁ ସେମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରି ନଥିଲେ | ତେଣୁ ଏହି ପୋଲିସ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଇଛି। ଏହି ପ୍ରସଙ୍ଗରେ ପଞ୍ଜାବ ପୋଲିସ ଆଇଜିପି ଉସମାନ ଅନୱର କହିଛନ୍ତି ଯେ ଆମେ ଏହି ମାମଲା ଉପରେ ନଜର ରଖିଛୁ।

ଉସମାନ ଅନୱର ଆହୁରି କହିଛନ୍ତି ଯେ ଆମେ ଏହି ପୋଲିସକର୍ମୀଙ୍କ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ। ଏତେ ବଡ଼ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସେମାନେ ଏପରି ପିଲାଳିଆମି କାମ କରିପାରିବେ ନାହିଁ। ତଥାପି, ଏହି ବହିଷ୍କୃତ ପୋଲିସ କର୍ମଚାରୀମାନେ କାହିଁକି ଡ୍ୟୁଟି କରିବାକୁ ମନା କଲେ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।