ରାଜଧାନୀ ଦିଲ୍ଲୀର ସବୁଠାରୁ ବୟୋଜ୍ୟେଷ୍ଠ ୧୧୧ ବର୍ଷ ବୟସ୍କ ବଚନ ସିଂହ ଷଷ୍ଠ ପର୍ଯ୍ୟାୟରେ ସାବ୍ୟସ୍ତ କରିବେ ନିଜର ମତଦାନ ଅଧିକାର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ମତଗ୍ରହଣରେ ଅଂଶଗ୍ରହଣ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ରାଜଧାନୀ ନୂୂଆଦିଲ୍ଲୀର ସବୁଠାରୁ ବୟୋଜ୍ୟେଷ୍ଠ ତଥା ୧୧୧ ବର୍ଷ ବୟସ୍କ ବଚନ ସିଂହ। ୧୧୧ ବର୍ଷ ବୟସରେ ନିଜର ମତଦାଦ ଅଧିକାର ସାବ୍ୟସ୍ତ କରିବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି ବଚନ ସିଂହ। ପଶ୍ଚିମ ଦିଲ୍ଲୀ ତିଲକ ନଗରର ବାସିନ୍ଦା ବଚନ ସିଂହ ଏ ସଂପର୍କରେ ନିଜର ପ୍ରତିକ୍ରିୟା ଦେବାକୁ ଯାଇ ଗଣମାଧ୍ୟମକୁ କହିଛନ୍ତି, ‘ନିର୍ବାଚନରେ ପ୍ରତିଟି ଭୋଟ ହେଉଛି ବହୁ ମୂଲ୍ୟବାନ। ତେଣୁ ଗୋଟିଏ ବି ଭୋଟ ନଷ୍ଟ ହେବା ଉଚିତ ନୁହେଁ’।

କେବଳ ବଚନ ସିଂହ ନୁହନ୍ତି, ୧୧୦ ବର୍ଷ ବୟସ୍କା ରାମପ୍ୟାରୀ ଶଙ୍କର ମଧ୍ୟ ଆସନ୍ତା କାଲି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ଦିଲ୍ଲୀ କୋଣ୍ଡଲିର ବାସିନ୍ଦା ରାମପ୍ୟାରୀ ଗତ ପ୍ରାୟ ଏକ ଦଶନ୍ଧି ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତା ଥାଇ ଶଯାଶାୟୀ ରହିଥିଲେ ମଧ୍ୟ କାଲି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଯିବେ।

ତେବେ, ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟରମାନଙ୍କୁ ମତଦାନ ପାଇଁ ସେମାନଙ୍କ ଘରୁ ମତଦାନ କେନ୍ଦ୍ରକୁ ନେବା ସହ ପୁଣି ସେମାନଙ୍କୁ ମତଦାନ କେନ୍ଦ୍ରରୁ ଆଣି ସେମାନଙ୍କ ଘରେ ଛାଡ଼ିବା ପାଇଁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର