ଆୟୁଷ୍ମାନ ଯୋଜନାରେ ଓଡ଼ିଶାକୁ ସାମିଲ କରିବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ବିଜେପିର ୧୨ ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା)ରେ ଓଡ଼ିଶାକୁ ସାମିଲ କରାଯାଉ ବୋଲି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି  ବିଜେପିର ୧୨ ସାଂସଦ । ଏହି ପତ୍ରରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଉ ଏବଂ ଏହା ହୋଇପାରିଲେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଯାଏଁ  ମାଗଣା ସ୍ୱାସ୍ଥ୍ୟସେବା ମିଳିପାରିବ । ଗତବର୍ଷ ଦେଶରେ ଆରମ୍ଭ ହୋଇଥିବା ଏହି  ଯୋଜନା ଦ୍ୱାରା ଦେଶର ୫୦ କୋଟି ହିତାଧିକାରୀ ଉପକୃତ ହୋଇପାରିବେ । ତେବେ ରାଜ୍ୟ ସରକାର ଏଥିରେ ସାମିଲ ହୋଇ ନ ଥିଲେ । ନିଜସ୍ୱ ପାଣ୍ଠିରୁ ଓଡ଼ିିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଏ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ବି ଏହା ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ ।

କିନ୍ତୁ ସାଧାରଣ ନିର୍ବାଚନ ପରେ ରାଜ୍ୟ ଏଥିରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବି ଏ ନେଇ ଏଯାଏଁ ଘୋଷଣା ହୋଇନାହିଁ । ନବୀନଙ୍କୁ ଚିଠି ଲେଖିଥିବା ସାଂସଦଙ୍କ ମଧ୍ୟରେ ୮ ଜଣ ଲୋକସଭା ସାଂସଦ ଅଛନ୍ତି । ଏହା ଛଡା ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସୋନାଲ ମାନସିଂ ଓ ରଘୁନାଥ ମହାପାତ୍ର ଅଛନ୍ତି ।

ସମ୍ବନ୍ଧିତ ଖବର