ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୬ଟି ନୂଆ ସଂକ୍ରମଣ ମାମଲା, ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ଓ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଏହି ୧୨ ମୃତ୍ୟୁସହ ଭାରତରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫୬ରେ ଓ ସଂକ୍ରମିତଙ୍କ ସଂଖ୍ୟା ୨୩୦୧ ରେ ପହଞ୍ଚିଛି ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ଦୁଇଦିନରେ ତବଲିଗି ଜମାତ ସମ୍ମିଳନୀ ସହ ସଂପୃକ୍ତ ୬୪୭ଟି ପଜିଟିଭ ମାମଲା ସାମନାକୁ ଆସିଛି । ୧୪ଟି ରାଜ୍ୟରୁ ଏସବୁ ମାମଲା ଜଣାପଡ଼ିଛି । ଆଜି ଆନ୍ଧ୍ରପ୍ରଦେଶରେ ପ୍ରଥମ କୋରନା ସଂପର୍କିତ ମୃତ୍ୟୁ ଜଣାପଡ଼ିଛି । ଜଣେ ୫୫ ବର୍ଷୀୟ ବ୍ୟକ୍ତି ବିଜୟଓ୍ୱାଡ଼ାର ଏକ ହସପିଟାଲରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ପୁଅ ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗଦେଇ ଫେରିଥିଲେ । ମୃତବ୍ୟକ୍ତି ନିଜ ପୁଅଠାରୁ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି ।

ଅନ୍ୟପକ୍ଷରେ ତାବଲିଗି ଜମାତ ଲୋକମାନଙ୍କୁ ବାହାର କରିଥିବା ୭ ଜଣ ପୁଲିସ କର୍ମଚାରୀ କ୍ୱାରାଣ୍ଟାଇନ ବା ଏକାନ୍ତବାସରେ ଯାଇଛନ୍ତି ।
ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖିଛି । ଏ ସଂପର୍କରେ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର