ରାଉରକେଲା: ଆଉ ମାତ୍ର ୧୩ ଦିନ। ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍(ଷଷ୍ଠ ସଂସ୍କରଣ) ଆରମ୍ଭ ହେବ। ଡିସେମ୍ବର ୨୮ ତାରିଖରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ, ମୋଟ୍ ୪୬ଟି ମ୍ୟାଚ୍ ଖେଳାଯିବ। ଏଥିମଧ୍ୟରୁ ୪୨ଟି ମ୍ୟାଚ୍ ରାଉରକେଲାରେ ଓ ୪ଟି ମ୍ୟାଚ୍ ରାଞ୍ଚିରେ ଖେଳାଯିବ। ଗତ ମାର୍ଚ୍ଚରେ ଅନୁଷ୍ଠିତ ହକି ପ୍ରୋ-ଲିଗ୍ ପରେ, ସହରବାସୀ ପୁଣି ଅନ୍ତର୍ଜାତୀୟ ମାନର ହକି ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ତେବେ ଏହି ପ୍ରତିଯୋଗିତା ପାଇଁ ଟିକଟ ବିକ୍ରି ହେବ ନା ଦର୍ଶକ ନିଃଶୁଳ୍କ ଉପଭୋଗ କରିବେ, ତାହା ସ୍ପଷ୍ଟ ହୋଇନି। ଏପର୍ଯ୍ୟନ୍ତ ଟିକଟ୍ ଦର ଧାର୍ଯ୍ୟ ହୋଇନଥିବାରୁ ଏନେଇ କଳ୍ପନାଜଳ୍ପନା ଲାଗିରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବର ସମସ୍ତ ୫ଟି ସଂସ୍କରଣରେ ଟିକଟ ବିକ୍ରି କରାଯାଇଥିଲା। ଭିନ୍ନ ଭିନ୍ନ ଷ୍ଟାଣ୍ଡ୍ ଅନୁଯାୟୀ ଟିକଟ୍ ଦର ୫୦ ଟଙ୍କାରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ପ୍ରାୟ ୭ ବର୍ଷ ପରେ ପୁଣି ଏହି ଲିଗ୍ ଫେରିଥିବାବେଳେ ଏଥର ଟିକଟ୍ ବିକ୍ରି ହେବ ନା ନାହିଁ, ତା’ ଉପରୁ ପରଦା ଉଠିପାରିନି। ଗତ ୮ ତାରିଖରେ ହକି ଇଣ୍ଡିଆର ଯୁଗ୍ମ ନିର୍ଦ୍ଦେଶକ ବି.ଏନ. ଭୂଷଣଙ୍କ ନେତୃତ୍ବରେ ହକି ଇଣ୍ଡିଆର ବୈଷୟିକ ବିଭାଗ, ପ୍ରସାରଣ ବିଭାଗର ଏକ ପ୍ରତିନିଧି ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳ ଷ୍ଟାଡିୟମର ସ୍ଥିତି ପରଖିବାସହ ସମୀକ୍ଷା କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ମଧ୍ୟ ଟିକଟ୍ ନେଇ ଚର୍ଚ୍ଚା କରାଯାଇଥିଲା। ତେବେ ବରିଷ୍ଠ କର୍ତ୍ତୃପକ୍ଷ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନାଅନୁସାରେ, ଏଥର ମଧ୍ୟ ଟିକଟ୍ ବିକ୍ରି କରାଯିବ। ତେବେ ତା’ର ଦର ନିର୍ଦ୍ଧାରିତ ହୋଇପାରୁନି। ପୂର୍ବ ବର୍ଷ ତୁଳନାରେ ଏଥର ଦର ଅପେକ୍ଷାକୃତ କମ୍ ରଖିବାନେଇ ଶୀର୍ଷ କର୍ତ୍ତୃପକ୍ଷ ବିଚାର କରୁଥିବା ଜଣାପଡ଼ିଛି। ତେବେ ଆଜିସୁଦ୍ଧା ଆନୁଷ୍ଠାନିଭାବେ ହକି ଇଣ୍ଡିଆ ପକ୍ଷରୁ ଏନେଇ ଘୋଷଣା କରାଯାଇନାହିଁ।