୧୪ଟି ଘରୋଇ ପରୀକ୍ଷାଗାରକୁ କରୋନାଭାଇରସ ଟେଷ୍ଟ କିଟ୍‌ ପରୀକ୍ଷା ପାଇଁ ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୨୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଏତେ ଦ୍ରୁତଗତିରେ ବଢିଚାଲିଛି ଯେ ପରୀକ୍ଷାଗାର ସଂଖ୍ୟା ନିଅଣ୍ଟ ପଡ଼ୁଛି । କାରଣ ଏବେ କେବଳ ସରକାରୀ ପରୀକ୍ଷାଗାର ଗୁଡ଼ିକରେ ସଂଦିଗ୍ଧ ଲୋକମାନଙ୍କ ନମୁନା ପରୀକ୍ଷଣ କରାଯାଉଛି । ଫଳରେ ଏଗୁଡ଼ିକ ଉପରେ ଅତ୍ୟଧିକ ଚାପପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ୧୪ଟି ଘରୋଇ ପରୀକ୍ଷାଗାରକୁ କରୋନା ପରୀକ୍ଷଣ ପାଇଁ ଲାଇସେନ୍ସ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ରୋଚି ଡାଇଗ୍ନୋଷ୍ଟିକ୍ସ, ଅହମଦାବାଦର କୋସାରା ଡାଇଗ୍ନୋଷ୍ଟିକ୍ସ, ଚେନ୍ନାଇର ସିପିସି ଡାଇଗ୍ନୋଷ୍ଟିକ୍ସ । ଏହି ସଂସ୍ଥାମାନେ ଟେଷ୍ଟିଂ କିଟ୍‌ ଗୁଡ଼ିକର ମୂଲ୍ୟାଙ୍କନ କରିବେ ଓ ତଥ୍ୟକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ)ଙ୍କୁ ପ୍ରଦାନ କରିବେ ।

ଅନ୍ୟପକ୍ଷରେ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୬୦ଟି ଘରୋଇ ପରୀକ୍ଷାଗାରକୁ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉପରୋକ୍ତ ପରୀକ୍ଷାଗାର ଦ୍ୱାରା ପ୍ରମାଣିତ ଟେଷ୍ଟିଂ କିଟଗୁଡ଼ିକୁ ଏସବୁ ସଂସ୍ଥାମାନେ ବ୍ୟବହାର କରିପାରିବେ । ଅନ୍ୟପକ୍ଷରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି । ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୮୫୧ ଓ ମୃତ୍ୟୁସଂଖ୍ୟା ୧୦,୪୦୫ରେ ପହଞ୍ଚିଛି । ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୪୧,୦୩୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୪୦୫ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର