ଭୁବନେଶ୍ୱର: ଲଗାତାର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ପଞ୍ଚମ ଥର ଗାଦିରେ ବସିବେ କି ନାହିଁ ତାହା ଆସନ୍ତାକାଲି ନିର୍ଦ୍ଧାରଣ କରିବେ ଭୋଟର । ବିଜେଡି ସୁପ୍ରିମୋ ନବୀନ ଏଥର ହିଞ୍ଜିଳି ସାଂଗକୁ ବିଜେପୁର ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି ଏବଂ ଦୁଇଟି ଯାକ ଆସନ ପାଇଁ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ନବୀନଙ୍କ ବ୍ୟତୀତ ଆହୁରି ପ୍ରାୟ ୧୫ ଜଣ ହେଭିେଓ୍ଵଟ୍ଙ୍କ ଭାଗ୍ୟ ମଧ୍ୟ ଆସନ୍ତାକାଲି ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ରେ ବନ୍ଦୀ ହୋଇଯିବ। ତାହା ମେ ୨୩ ତାରିଖରେ ଖୋଲିବ।
ନବୀନ ଏଥର ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଏହି ଦୁଇଟି ବିଧାନସଭା ଆସନ ମଧ୍ୟରୁ କେଉଁଟିରେ ନବୀନ ଅଧିକ ଭୋଟ ପାଇବେ ଏବଂ ନବୀନ କେଉଁଟିକୁ ରଖି ଆରଟିକୁ ଛାଡ଼ିବେ-ତାହା ଦେଖିବାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅନାଇଁ ରହିଛନ୍ତି। ନବୀନ ଯଦି ଦୁଇଟି ଯାକ ବିଧାନସଭା ଆସନରୁ ନିର୍ବାଚିତ ହୁଅନ୍ତି, ତେବେ ତାଙ୍କୁ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ।
ଆସନ୍ତାକାଲି ନବୀନଙ୍କ ବ୍ୟତୀତ ଚଳିତ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ,କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍,ବିରୋଧୀ ଦଳ ନେତା ନରସିଂହ ମିଶ୍ର,ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
/sambad/media/post_attachments/wp-content/uploads/2019/04/Presentation1-10-300x170.jpg)
ଏହାଛଡ଼ା ରାଜ୍ୟର ୪ ଜଣ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ଏଥର ଭୋଟରଙ୍କ ଆସ୍ଥାଭାଜନ ହେବେ କି ନାହିଁ ତାହା ମଧ୍ୟ ଆସନ୍ତାକାଲି ସ୍ଥିର ହୋଇଯିବ। ତେବେ ଫଳାଫଳ ମେ ୨୩ ତାରିଖରେ ଭୋଟଗଣତି ପରେ ଜଣାପଡ଼ିବ।
ଆସନ୍ତାକାଲି ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ (ଆସ୍କା,କନ୍ଧମାଳ,ବରଗଡ଼,ବାଲାଙ୍ଗୀର ଏବଂ ସୁନ୍ଦରଗଡ଼) ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାନ ହେବ। ତେଣୁ ପ୍ରାର୍ଥୀମାନେ କିପରି ଭୋଟରମାନଙ୍କୁ ମନାଇ ପାରିବେ,ସେଥିପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।
ଏଥର ଯେଉଁ ନୂଆ ପ୍ରାର୍ଥୀମାନେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସେମାନଙ୍କ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ପ୍ରମିଳା ବିଷୋଇଙ୍କ ନାମ ଉଲ୍ଲେଖଯୋଗ୍ୟ ।ଅନ୍ୟ ଯେଉଁ ପ୍ରତିଷ୍ଠିତ ବ୍ୟକ୍ତି ଆସନ୍ତାକଲି ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି ସେମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ,ବିଶିଷ୍ଟ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟି ନେତା ପୀତାମ୍ବର ଆଚାର୍ଯ୍ୟ,ପୂବତନ ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ, ରାଜ୍ୟ ସଭାରେ ବିଜେଡ଼ି ସଂସଦୀୟ ନେତା ପ୍ରସନ୍ନ ଆଚାର୍ଯ୍ୟ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଓ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/img-20170719-wa00151.jpg)