ଆଗେ ମତଦାନ, ପରେ ଜଳପାନ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ୧୧ଟି ଜିଲ୍ଲାର ୫୮ଟି ଆସନ ନିମନ୍ତେ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଭୋରଟର୍‌ମାନଙ୍କୁ ନିବେଦନ କରି କହିଛନ୍ତି, ଆଜି ହେଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସମସ୍ତ ଭୋଟ୍‌ଦାତାଙ୍କୁ ମୋର ଅନୁରୋଧ କୋଭିଡ୍‌ ନିୟମ ମାନି ଉତ୍ସାହର ସହ ଭୋଟଦାନରେ ଅଂଶ ଗ୍ରହଣ କରନ୍ତୁ। ଆଗେ ଭୋଟ୍‌ ଏବଂ ତା’ପରେ ଜଳପାନ।

ହିନ୍ଦୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ହେଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ସବୁ ଭୋଟଦାତାଙ୍କୁ ମୋର ଅନୁରୋଧ କି, କୋଭିଡ୍‌ ନିୟମ ମାନି ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅତି ଆଗ୍ରହର ସହ ଭାଗ ନିଅନ୍ତୁ। ମନେରଖନ୍ତୁ- ଆଗେ ମତଦାନ, ପରେ ଜଳପାନ!

ବହୁ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ୍‌ କରି ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି: ଆଜି ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଛି। ଏହି ପର୍ଯ୍ୟାୟର ସମସ୍ତ ଭାଇଭଉଣୀମାନଙ୍କୁ ମୁଁ ନିବେଦନ କରୁଛି କି, ସେମାନେ ବହୁସଂଖ୍ୟାରେ ଭୋଟ୍‌ ଦେଇ ଏଭଳି ସରକାର ନିର୍ବାଚିତ କରିବେ ଯିଏ ଆପଣମାନଙ୍କୁ ନିରାପତ୍ତା, ସମ୍ମାନ ଏବଂ ଉତ୍ତମ ଶାସନ ସହ ରାଜ୍ୟର ବିକାଶ କରିବ। ଆପଣଙ୍କର ଗୋଟିଏ ଭୋଟ୍‌ ହେଉଛି ଉତ୍ତର ପ୍ରଦେଶ ଉଜ୍ଜ୍ବଳ ଭବିଷ୍ୟତର ଆଧାର।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଆଜି ମଥୁରା, ମୁଜାଫରନଗର, ମିରଟ୍‌, ଗାଜିଆବାଦ, ବୁଲନ୍ଦସର, ହାପୁର, ଶାମଲି, ବାଗପଥ, ଅଲିଗଡ଼, ଆଗ୍ରା ଏବଂ ଗୌତମବୁଦ୍ଧ ନଗର ଜିଲ୍ଲାର ୫୮ଟି ଆସନ ପାଇଁ ମତ ଗ୍ରହଣ ଚାଲିଛି। ଏଥିରେ ୬୨୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨.୨୭ କୋଟି ଭୋଟର୍‌ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବ‌େ।

ନିରାପତ୍ତା ପ୍ରତି ଦୃଷ୍ଟି ଦିଆଯାଇ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସର ୪୧୨ କମ୍ପାନିରୁ ପ୍ରାୟ ୫୦,୦୦୦ ପାରାମିଲିଟାରି କର୍ମଚାରୀଙ୍କୁ ପଶ୍ଚିମ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ରାଜ୍ୟର ସୀମାନ୍ତକୁ ମଧ୍ୟ ସିଲ୍‌ କରିଦିଆଯାଇଛି। ସବୁଠୁ ଅଧିକ ପାରାମିଲିଟାରି ଫୋର୍ସ ମୁତୟନ ହୋଇଛନ୍ତି ମୁଜାଫର୍‌ନଗର, ଅଲିଗଡ଼ ଏବଂ ମିରଟ୍‌ରେ ।

ସମ୍ବନ୍ଧିତ ଖବର