ଧର୍ମଗଡ: ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଆମଯୋର ଗ୍ରାମର ଖଗେଶ୍ବର ରାଉତ ଓ ଗଦାଧର ରଣା ମିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୁ ରଣାକୁ ରାସ୍ତାରେ ଗାମୁଛା ରେ ତଣ୍ଟିଚିପି ହତ୍ୟା କରିବା ପରେ ନିକଟସ୍ଥ ଶିଶୁଘାଟି ଡଙ୍ଗରରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାରୁ ଜଣାଯାଏ ଯେ ଜୟପାଟଣା ଥାନା ଅନ୍ତର୍ଗତ ଆମଜୋର ଗ୍ରାମର ମନୁ ରଣା ତାଙ୍କ ଗ୍ରାମରେ ଚୋରା ମଦ ବିକ୍ରି କରିବା ସହ ଗ୍ରାମର ଏକ ପୋଖରୀରେ ମାଛ ଚାଷ କରିଥିଲେ। ଅଭିଯୁକ୍ତ ଗଦାଧର ରଣା ଓ ଖଗେଶ୍ବର ରାଉତଙ୍କ ଚାଷ ଜମି ପୋଖରୀର ଅନ୍ୟ ପାର୍ଶ୍ବରେ ଥିଲା ଓ ଅଭିଯୁକ୍ତମାନେ ପୋଖରୀ ହୁଡାରେ ନିଜ ଜମିକୁ ଯାତାୟତ କରୁଥିଲେ। ପୋଖରୀ ହୁଡାରେ ଯାତାୟତ ନ କରିବା ପାଇଁ ମୃତକ ଜଣକ ଏହି ଦୁଇଜଣଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ମଧ୍ୟ ଦେଇଥିଲେ।

Advertisment

ଏହି ଘଟଣାକୁ ନେଇ ଅଭିଯୁକ୍ତ ଦୁଇ ଜଣ ମନୁ ରଣାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ମନୁ ରଣା ଗତ ୭/୧୦/୨୦୧୫ ତାରିଖ ସକାଳ ୫ଟାରେ କୁଟୁରୁ ମଦ ଭାଟିକୁ ମଦ ଆଣିବାକୁ ଯାଇ ଫେରୁଥିବାବେଳେ ଆଗରୁ ଯୋଜନାବଦ୍ଧ ଜଙ୍ଗଲ ପାଖରେ ଜଗି ରହିଥିବା ଦୁଇ ଜଣ ଅଭିଯୁକ୍ତ ମନୁ ରଣାଙ୍କୁ ଗାମୁଛାରେ ତଣ୍ଟିଚିପି ହତ୍ୟାକରୀ ମାଠିଆପଦର ଗ୍ରାମର ଶିଶୁଭାଟି ଡଙ୍ଗରରେ ଫିଙ୍ଗି ଦେଇଥିଲେ l 

ଏହି ଘଟଣାକୁ ନେଇ ମୃତକର ବଡ଼ ଭାଇ କୃପାସିନ୍ଧୁ ରଣା ଜୟପାଟଣା ଥାନାରେ ଏତଲା ଦେଇଥିଲେ l ଜୟପାଟଣା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୋୖରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହିତ ଦଶ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଜରିମାନା ଅର୍ଥ ଜମା ନ କଲେ ଆହୁରି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି l ଏହି ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ l