ରାଉରକେଲା: ଚୋରା ସୁନା ଗହଣା କିଣିବା ମହଙ୍ଗା ପଡ଼ିଛି। ପୋଖତ ଚୋରଙ୍କଠାରୁ କମ୍ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ସେକ୍ଟର-୭ ପୁଲିସ ଦୟାନନ୍ଦ ନଗର ବିଶ୍ବକର୍ମା ବିହାରର ଅମନ ପ୍ରସାଦଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୨ଟି ସୁନା ଚେନ୍, ଗୋଟିଏ ହଳ ସୁନା ଚୁଡ଼ି, ରୂପା ପାଉଁଜି, ରୂପା ଚେନ୍ ଉଦ୍ଧାର କରିଛି।
ପୁଲିସ ସୂଚନାଅନୁସାରେ, ସେକ୍ଟର-୬, କ୍ବାର୍ଟର୍ସ ନଂ ଏ/୨୩ରେ ରହୁଥିବା ସତୀଶ ବଡ଼ତ୍ୟା ରାତିରେ ଡ୍ୟୁଟି ଯାଇଥିଲେ। ସକାଳେ ଘରକୁଫେରିବାପରେ ଆଜବେଷ୍ଟସ୍ ତାଡ଼ି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତ ବହୁମୂଲ୍ୟର ସୁନା, ରୂପା ଗହଣା ଚୋରି କରିନେଇଥିଲେ। ପୁଲିସ ମାମଲାର ତଦନ୍ତ ଜାରି ରଖିଥିଲା। ତେବେ ଗତ ୮ ତାରିଖରେ ସେକ୍ଟର-୧୯ ପୁଲିସ ଅନ୍ୟ ଏକ ଚୋରି ମାମଲାରେ ସେକ୍ଟର-୧୫ ନିବାସୀ ସୌଭାଗ୍ୟ ନାୟକ ଓ ବ୍ରାହ୍ମଣୀତରଙ୍ଗର ବିକି ଯାଦବଙ୍କୁ ଗିରଫ କରିଥିଲା।
ପଚରାଉଚରା ସମୟରେ ଅଭିଯୁକ୍ତଦ୍ବୟ ସେକ୍ଟର-୬ସ୍ଥ ଶ୍ରୀ ବଡ଼ତ୍ୟାଙ୍କ ଘରୁ ଚୋରି କରିଥିବା ଓ ଅଭିଯୁକ୍ତ ଅମନ ନିକଟରେ ବିକ୍ରି କରିଥିବା ବୟାନ ଦେଇଥିଲେ। ପରେ ସେକ୍ଟର-୭ ପୁଲିସ ଅମନକୁ ଗିରଫ କରିଥିଲା। ପାନପୋଷ ଅଞ୍ଚଳର ଅଭିଯୁକ୍ତ ଅମନର ବାପାଙ୍କ ଏକ ସୁନା ଦୋକାନ ରହିଥିବା ପୁଲିସ ସୂଚନାରୁ ପ୍ରକାଶ।