ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମରେ ରବିବାର ସକାଳ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିବା ବେଳେ ପୁରା ପରିବାର ବାସହରା ହୋଇପଡ଼ିଛନ୍ତି l

Advertisment

ସୂଚନା ମୁତାବକ, ଗୋବିନ୍ଦପୁର ଗ୍ରାମର ସୁବର୍ଣ୍ଣ ଦେହୁରୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ବେତନଟୀ ଅଗ୍ନିଶମ ଅଧିକାରୀ ସତ୍ୟବାଦୀ ପଳେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ ଦୀର୍ଘ ସମୟର ଉଦ୍ୟମରେ ଆକସ୍ମିକ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ଦୁଇ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି l

ଆକସ୍ମିକ ଅଗ୍ନିକାଣ୍ଡ ପାଇଁ ଘର ଭିତରୁ କୌଣସି ଆସବାବପତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା l କେବଳ ପିନ୍ଧିଥିବା ଲୁଗା ବ୍ୟତୀତ ସମସ୍ତ ଲୁଗାପଟା, ଧାନ ଚାଉଳ, ଆଧାରକାର୍ଡ଼, ଚାଉଳକାର୍ଡ ଭଳି ଦରକାରି କାଗଜପତ୍ର ସମେତ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି l ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ହୋଇଥିବା ନେଇ ଅଗ୍ନିଶମ ବାହିନୀ ଅନୁମାନ କରୁଥିବା ବେଳେ କ୍ଷୟକ୍ଷତିର ପରିମାଣ ପାଖାପାଖି ଏକ ଲକ୍ଷ ଟଙ୍କା ହେବାନେଇ ପ୍ରାଥମିକ ଆକଳନ କରାଯାଉଛି l ଅଗ୍ନିକାଣ୍ଡରେ ସୁବର୍ଣ୍ଣ ବାସଗୃହ, ଆସବାବପତ୍ର ସମେତ ସବୁକିଛି ହରାଇ ସର୍ବହରା ହୋଇ ଅସହାୟ ହେଇଯାଇଛନ୍ତି l