ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ନକ୍ସଲ ସଂଗଠନ | ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ ସାଙ୍ଗକୁ ଏନକାଉଣ୍ଟରରେ ନକ୍ସଲମାନେ ନିହତ ହେଉଥିବାବେଳେ ବହୁ ସଂଖ୍ୟାରେ ନକ୍ସଲମାନେ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି | ଆଜି ମହାରାଷ୍ଟ୍ରର ଗଢଚିରୋଲୀରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାବେଳେ ଏଥିରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି |

Advertisment

ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ବନ୍ଧୁକ ସହ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସିଆରପିଏଫ ଯବାନଙ୍କ ସହ ପୁଲିସ ଟିମ ଗଢଚିରୋଲୀର ଜାମ୍ବିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା | ତେବେ ପୁଲିସକୁ ଦେଖି ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଏହାର ଜବାବ ଦେବାକୁ ଯାଇ ପୁଲିସ ବି ଗୁଳି ଚଳାଇଥିଲା |

ପୁଲିସର ଗୁଳିରେ ଦୁଇ ମହିଳା ନକ୍ସଲ ଟଳିପଡିଥିଲେ | ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ , ଏକ ପିସ୍ତଲ, ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା | ଏହି ଦୁଇ ମହିଳା ମାଓବାଦୀଙ୍କ ପରିଚୟ ମିଳିନଥିବାବେଳେ ଏବେ ପୋଲିସର କମ୍ବିଙ୍ଗ ଅପରେସନ ଜାରି ରହିଛି |