ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ୨୦୧୯ରେ ହେମଗିର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରକରି ସୁନ୍ଦରଗଡ଼ର ସ୍ୱତନ୍ତ୍ର ପସ୍କୋ କୋର୍ଟ ଅଭିଯୁକ୍ତ ଲାକେଡ଼ଝରନ ଗାଁର ପିଣ୍ଟୁ ଆଡ଼େକୁ ଦୋଷୀ ସାବ୍ୟସ୍ତକରି ଏହି ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ କାରାଦଣ୍ଡ ଅଧିକ ୨ ବର୍ଷ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହ ମାମଲାର ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି।

Advertisment

ପିଣ୍ଟୁ ନାବାଳିକାଙ୍କୁ ୨୦୧୯ରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏଥିରେ ନାବାଳିକା ଗର୍ଭବତୀ ହୋଇଥିଲେ। ଏ ନେଇ ପରିବାର ଲୋକେ ଜାଣିବା ପରେ ୨୬.୯.୨୦୧୯ରେ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ଦୁଷ୍କର୍ମ ଓ ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନରେ ମାମଲା ରୁଜୁକରି ପିଣ୍ଟୁକୁ ଗିରଫ କରିଥିଲା। ମାମଲାର ବିଚାର ଚାଲିଥିବାବେଳେ ପୁଲିସର ଚୂଡ଼ାନ୍ତ ରିପୋର୍ଟ, ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି କୋର୍ଟ ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ଜନ ଅଭିଯୋଜକ(ପିପି) ଦେବାଶିଷ ମିଶ୍ର ପରିଚାଳନା କରିଥିଲେ।