ବାଦାମପାହାଡ଼ ଲୁହାଖଣିରେ ୨୦୦ ଶ୍ରମିକଙ୍କୁ ପୁନଃନିଯୁକ୍ତି, ୪ ମାସ ଆନ୍ଦୋଳନ ପରେ ବସିଲା ବୈଠକ

୩ରୁ ୪ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା, ସ୍ଥାନୀୟ କୁଶଳୀ ଲୋକଙ୍କୁ ବି ମିଳିବ ଚାକିରି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଲୁହାଖଣିରେ ପୁନଃନିଯୁକ୍ତି ଦାବି ନେଇ ବହୁ ଦିନ ଧରି ଆନ୍ଦୋଳନ ଚଳାଇଥିବା ଶ୍ରମିକଙ୍କ ଆଗରେ ନରମ ପଡ଼ିଛନ୍ତି ଖଣି କର୍ତ୍ତୃପକ୍ଷ। ଖୁବ୍‌ଶୀଘ୍ର ଖଣିରେ ୨୦୦ ଶ୍ରମିକଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରଶାସନ ସୂତ୍ରରୁ‌ ଜଣାପଡ଼ିଛି।
ବାଦାମପାହାଡ଼ ଲୁହାଖଣିର ନବୀକରଣ ପରେ ଖଣି କର୍ତ୍ତୃପକ୍ଷ ଯାନ୍ତ୍ରିକକରଣ ପ୍ରକ୍ରିୟାକୁ ଅଗ୍ରାଧିକାର ଦେଇ ଶତାଧିକ ଶ୍ରମିକଙ୍କୁ ଛଟେଇ କରିଥିଲେ। ଶ୍ରମିକ ବଦଳରେ ମେସିନ୍ ଦ୍ବାରା କାମ କରାଯିବାରୁ ଶ୍ରମିକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଖଣି କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳର ଜନନେତା ଓ ବୁଦ୍ଧିଜୀବୀ ମଧ୍ୟ ବିଷୋଦଗାର୍‌ କରିଥିଲେ। ଛଟେଇ ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ଦେବା ଲାଗି ସବୁ ମହଲରୁ ଦାବି ହୋଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଏ ନେଇ କୌଣସି ସକାରାତ୍ମକ ମନୋଭାବ ପୋଷଣ କରିନଥିଲେ। ଫଳରେ ଛଟେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସେପଟେ ପ୍ରାୟ ୪ ମାସ ଧରି ଆନ୍ଦୋଳନ ଜାରି ରହିବା ଫଳରେ ଖଣିକାର୍ଯ୍ୟ ପ୍ରଭାବିତ ହୋଇଥିଲା। ବାଧ୍ୟ‌ ହୋଇ ଖଣି କର୍ତ୍ତୃପକ୍ଷ କୋହଳ ଆଭିମୁଖ୍ୟ ଦେଖାଇବା ସହ ଆଲୋଚନା ପାଇଁ ରାଜି ହୋଇଥିଲେ। ଏପ୍ରିଲ୍‌ ୧୦ ତାରିଖରେ ଖଣି ଲିଜ୍‌ଧାରୀ, ପୁଲିସ, ଉପଖଣ୍ଡ ପ୍ରଶାସନ ଓ ଶ୍ରମିକ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଏପ୍ରିଲ୍‌ ୧୯ ତାରିଖ ସୁଦ୍ଧା ଶ୍ରମିକମାନଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ଖଣି କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଇଥିଲେ।

ଜୁଲାଇ ପହିଲା ସୁଦ୍ଧା ଶ୍ରମିକଙ୍କୁ ପୁନଃନିଯୁକ୍ତି ଦିଆନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯିବା ପରେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ହୋଇଥିଲା। ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ରାଇରଙ୍ଗପୁର ଏସ୍‌ଡିପିଓ ଗାୟତ୍ରୀ ପ୍ରଧାନ, ଖଣି କର୍ତୃପକ୍ଷଙ୍କ ପ୍ରତିନିଧି ସୁରେନ୍ଦ୍ର ଚୌବେ ଓ ଶମ୍ଭୁନାଥ ଅଗ୍ରୱାଲ, ଶ୍ରମିକ ନେତା ମହେଶ ହେମ୍ବ୍ରମ୍‌ଙ୍କ ସମେତ ସ୍ଥାନୀୟ ୩ଟି ପଞ୍ଚାୟତର ସରପଞ୍ଚ ଓ ଶ୍ରମିକମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ୨୦୦ ଶ୍ରମିକଙ୍କୁ ନିଯୁକ୍ତି ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ପଦ ପାଇଁ ସ୍ଥାନୀୟ ଅଞ୍ଚଳର କୁଶଳୀ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଖଣି କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା।

ମହାମାରୀ କରୋନା ଯୋଗୁ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଛଟେଇ ଶ୍ରମିକ ତଥା ସେମାନଙ୍କ ପରିବାର ସଦସ୍ୟମାନେ ଏହି ନିଷ୍ପତ୍ତିରେ ଆଶ୍ବସ୍ତ ହୋଇଛନ୍ତି। ତେବେ ଖଣି କର୍ତ୍ତୃପକ୍ଷ ଏଥର ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଶ୍ରମିକମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର