ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ, ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୨୧ ଜଣ ଆସିଥିବା ସୂଚନା ରହିଛି ଓ ଆଉ କେତେଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ଅନୁସନ୍ଧାନ ଚାଲିଛି। ଏଥିସହ ମଙ୍ଗଳବାର ଭଦ୍ରକରୁ ଚିହ୍ନଟ ହୋଇଥିବା ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କୁ ଚିହ୍ନଟ କରାଯାଇଥିବା  ସୂଚନା ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୋଭିଡ-୧୯ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ୯୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ କେବଳ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ରୋଗର ଲକ୍ଷଣ ୨ରୁ ୧୪ ଦିନ ମଧ୍ୟରେ ଜଣାପଡ଼ିଯାଉଛି ।  ୯୫ ପ୍ରତଶତ କରୋନା ଆକ୍ରାନ୍ତ ଭଲ ହୋଇଯାଉଛନ୍ତି । ମାତ୍ର ୫ ପ୍ରତିଶତ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି । ଜ୍ୱର, କାଶ ଓ ଶ୍ୱାସ କଷ୍ଟ ହେଉଛି କରୋନା ରୋଗର ପ୍ରଥମ ଲକ୍ଷଣ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ବାଗଚୀ କହିଛନ୍ତି, ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଛନ୍ତି । ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିବା ବେଳେ ଚତୁର୍ଥ ସଂକ୍ରମିତ ବ୍ୟକ୍ତିଙ୍କ ସସ୍ପର୍ଶରେ ୩୩ ଜଣ ଆସିଥିଲେ । କୋଭିଡ-୧୯ ମୁଖ୍ୟ କହିଛନ୍ତି, ଗତ ମାର୍ଚ୍ଚ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବାର ବଡ଼ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ ୩ଟିରୁ ୨ଟି ହସ୍ପିଟାଲ (କିମ୍ସ ଓ ଅଶ୍ମିନୀ)କୁ ଉଦଘାଟନ କରିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଅନଲାଇନ ଓ ୧୦୪ ହେଲ୍ପଲାଇନ ନମ୍ବରକୁ ଫୋନ କରି ୧୫ ହଜାର ୮୯୫ ଜଣ  ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ସେଥି ମଧ୍ୟରୁ ୪ ହଜାର ୩୬୬  ବିଦେଶ ଫେରନ୍ତା । ସାମାଜିକ ନିନ୍ଦା, ଲାଞ୍ଛନା ଓ ଅପବାଦକୁ ଭୟ କରି ଲୋକ କରୋନା ସନ୍ଦିଗ୍ଧମାନେ ନିଜକୁ ପ୍ରକାଶ କରୁ ନାହାନ୍ତି । କିନ୍ତୁ ସେହିଭଳି ବ୍ୟକ୍ତିମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର