ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟରେ ୧୮୫ଟି ବୃହତ୍ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। ସେଥିରୁ କିଛି ପୂର୍ଣ୍ଣ ଓ ଆଉ କିଛି ଆଂଶିକ କାର୍ଯ୍ୟକ୍ଷମ ରହିଛି। ଏହି ଶିଳ୍ପଗୁଡ଼ିକରେ ୩,୫୯,୩୨୪.୮୪ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା ବେଳେ ୨,୬୧,୬୫୩ ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି ବୋଲି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ସୂଚନା ଦେଇଛନ୍ତି। ଯାଜପୁରର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍ କାରଖାନାରେ ୪୪,୮୦୬ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି। ଅନୁଗୁଳର ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରରେ ୧୨,୨୫୯ ନିଯୁକ୍ତି ସମ୍ଭାବନା ଥିବା ବେଳେ କଳାହାଣ୍ଡିର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ ପ୍ରକଳ୍ପରେ ପ୍ରାୟ ୧୫ ହଜାର ଜଣ ଲୋକ କାର୍ଯ୍ୟ କରିବାର ସମ୍ଭାବନା ରହିଛି। ସମ୍ବଲପୁରର ଜେଏସ୍ଡବ୍ଲୁ ଷ୍ଟିଲ୍ ପ୍ରକଳ୍ପରେ ୧୨,୧୫୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।
ହୀରାକୁଦର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ରେ ପ୍ରାୟ ୮୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ଥିବା ବେଳେ କଟକର ଖଣ୍ଟିଘାଲରେ ସ୍ଥାପନ କରାଯାଇଥିବା ଆରତୀ ଷ୍ଟିଲ୍ରେ ୧୮୬୫ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଢେଙ୍କାନାଳର ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ ୨୪,୨୨୯ ଲୋକଙ୍କ ନିଯୁକ୍ତି ପାଇଁ ସମ୍ଭାବନା ରହିଛି। ଢେଙ୍କାନାଳର ଝାରବନ୍ଧରେ ଥିବା ରୁଙ୍ଗଟା ମାଇନ୍ସରେ ୬୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି। ସେହିପରି, ପାରାଦୀପର ଇଣ୍ଡିଆନ୍ ଅଏଲ୍ ବିଶୋଧନାଗାରରେ ୧୨,୨୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।