ମେଡିକାଲରୁ ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ: ୨ ସିକ୍ୟୁରିଟି ଗାର୍ଡଙ୍କ ସମେତ ୩ଗିରଫ ଓ ୧୮ ମୋବାଇଲ ଜବତ

କୋରାପୁଟ: ସୁରକ୍ଷା ଦାୟିତ୍ବରେ ଥିଲେ କିନ୍ତୁ ନିଜେ ଚୋରି କରିବା ପରି ସଙ୍ଗୀନ କାର୍ଯ୍ୟ କରୁଥିଲେ। ଲୋକଙ୍କୁ ସୁରକ୍ଷା ଦେବେ କ’ଣ ନିଜେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି କରୁଥିଲେ। ଏହାର ଆଜି ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ପୁଲିସ। ମୁଖ୍ୟ ଅଭିଯୁକ୍ତ ଲେଲି ଖୋସଲାଙ୍କ ସହ ଦୁଇଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଭିତରୁ ବିଭିନ୍ନ ସମୟରେ ରୋଗୀ ସଂପକୀୟଙ୍କ ମୋବାଇଲ ଚୋରୀ ହେଉଥିଲା। ଏଭଳି ଅଭିଯୋଗ ପୁଲିସ ପାଖରେ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ଆଜି ପୁଲିସ ହାତରେ ଲାଗିଛି ମୋବାଇଲ ଚୋରି ଗ୍ୟାଙ୍ଗ । ଏହିଗ୍ୟାଙ୍ଗକୁ ଚଳାଉଥିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଖିତେଶ ଗ୍ରାମର ଯୁବକ ଲେଲି ଖୋସ୍ଲା।

ଦିନରେ ମେଡିକାଲ କଲେଜ ପରିସରରେ ଚାଉମିନ ଦୋକାନ ଚଲାଉଥିବା ବେଳେ ରାତିରେ ସୁଯୋଗ ପାଇ ରୋଗୀଙ୍କ ସଂପକୀୟ ଓ ରୋଗୀଙ୍କ ମୋବାଇଲ ଚୋରୀ କରି ନେଉଥିଲା। ଏଥିରେ ସହଯୋଗ କରୁଥିଲେ ସେଠାରେ କାର୍ଯ୍ୟରତ ରହିଥିବା ଦୁଇଜଣ ସୁରକ୍ଷାକର୍ମୀ। ଚୋରି ମୋବାଇଲକୁ କମ ଦାମରେ  ବିକ୍ରି କରି ୨ ସିକ୍ୟୁରିଟି ଗାଡଙ୍କୁ କିଛି ଅର୍ଥ ଦେଉଥିଲା ଲେଲି ।

ସିକ୍ୟୁରିଟି ଗାର୍ଡ ଦୁଇଜଣ ଚୋରୀ କରୁଥିବା ସମୟରେ ସଂପୃକ୍ତ ୱାର୍ଡର ସିସିଟିଭିକୁ କିଛି ସମୟ ପାଇଁ ବନ୍ଦ କରିଦେଉଥିଲେ। ଏହାର ସୁଯୋଗ ଉଠାଉଥିଲା ଲେଲି । ଦୁଇ ତିନି ମାସ ଧରି ଏଭଳି କାର୍ଯ୍ୟ ସେମାନେ କରି ଆସୁଥିବା ପୁଲିସ କହିଛି। ସଂପୃକ୍ତ ଯୁବକ ଜଣକ ୪ଟି ମୋବାଇଲ ଏକ ଦୋକାନରେ ବିକ୍ରି କରୁଥିବା ବେଳେ ଏଏସଆଇ ଯଶୋବନ୍ତ ସେଲମାଙ୍କ ସହ କିଛି ପୁଲିସ ତାକୁ କାବୁ କରି ନେଇଥିଲେ । ପୁଲିସ କେସ ନମ୍ବର ୧୪୨/୨୧,ଆଇପିସି ଧାରା ୩୭୯ ରେ ମାମଲା ରୁଜୁ କରିବା ସହ ଆଜି ଲେଲି ସହ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଓ ନିର୍ଦ୍ଦିଷ୍ଟ ପ୍ରମାଣ ଦେଇ ନିଜର ହଜିଥିବା ମୋବାଇଲ ନେଇ ଯିବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୋରାପୁଟ ଟାଉନ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର