ଚିନ୍ତା ବଢାଇଲା ମୁମ୍ବାଇର ଧରାବି ବସ୍ତି, ଆଜି ଆଉ ୨ ସଂକ୍ରମିତ ଚିହ୍ନଟ

ମୁମ୍ବାଇ : ଏସିଆର ବୃହତ୍ତମ ବସ୍ତି ମଧ୍ୟରୁ ଅନ୍ୟତମ ଧରାବି ଏବେ କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଏହି ବସ୍ତିରେ ଆଜି ଆଉ ୩ଟି ନୂଆ ମାମଲା ସାମନାକୁ ଆସିଛି । ଏହା ମଧ୍ୟରୁ ୨ଟି ସଂକ୍ରମଣ ମାମଲା ଓ ଗୋଟିଏ ମୃତ୍ୟୁ ମାମଲା ରହିଛି । ଏହା ଫଳରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି । ଏହା ସହିତ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଶହ ଟପିଯାଇଛି ।
ତେବେ ଧରାବିକୁ ନେଇ ଚିନ୍ତାର କାରଣ ହେଉଛି ଏହି ବସ୍ତିର ଘନ ଜନସଂଖ୍ୟା । ମାତ୍ର ୨.୧୬ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ଏହି ବସ୍ତିରେ ପ୍ରାୟ ୧୫ ଲକ୍ଷ ରୁହନ୍ତି । ଅଧିକାଂଶ ଲୋକ ଗରିବ ଶ୍ରମିକ ଶ୍ରେଣୀର ଓ ସେମାନେ ମୁଖ୍ୟତଃ ଝାଟିମାଟି ତଥା ପଲିଥିନ ପକାହୋଇଥିବା ଘରେ ରୁହନ୍ତି । ଏପରି ଏକ ବସ୍ତିରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ ନକରାଗଲେ ଆଗକୁ ତାହା ଏକ ବଡ଼ ମାନବୀୟ ବିପଦରେ ପରିଣତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ବସ୍ତିର ପ୍ରାୟ ୩ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନ କରାଯାଇଛି । ତେବେ ଅଧିକାଂଶ ଲୋକ ସରକାରଙ୍କ ସହଯୋଗ କରୁନଥିବାରୁ ଓ ରୋଗ ଲୁଚାଉଥିବାରୁ ତାହା ଚିନ୍ତାର କାରଣ ହୋଇଛି ।

ସମ୍ବନ୍ଧିତ ଖବର