କରୋନାରୁ ଆରୋଗ୍ୟ ହେବା ଆଶାରେ ଆଲକହଲ ପିଇ ଇରାନରେ ୩୦୦ ମୃତ, ୧୦୦୦ ଗୁରୁତର

ତେହେରାନ : ପଶ୍ଚିମ-ଏସୀୟ ଦେଶ ଇରାନରେ କରୋନା ଭାଇରସ ନାହିଁ ନଥିବା ସ୍ଥିତି ସୃଷ୍ଟି କରିଛି । ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅସହାୟ ହୋଇପଡ଼ିଛନ୍ତି ଇରାନ ସରକାର । ଏତେ ସଂଖ୍ୟକ ଲୋକଙ୍କୁ ଚିକିତ୍ସା କରିବା ଲାଗି ଦେଶରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥେଷ୍ଟ ହେଉନାହିଁ । ଏହାଫଳରେ ଇରାନରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ସରକାରଙ୍କ ଉପରେ ବିଶ୍ୱାସ ହରାଇ ଏବେ ବିଭିନ୍ନ ଗୁଜବ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେଇଛନ୍ତି । ଏପରି ଏକ ଗୁଜବ ଯୋଗୁଁ ଇରାନରେ ଏବେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି ।

ଆଲକହଲ ପିଇଲେ କରୋନା ଭାଇରସ ସଂକ୍ରମଣ ହେବ ନାହିଁ ବୋଲି ଇରାନରେ ଏକ ଗୁଜବ ପ୍ରଚାରିତ ହୋଇଛି ! ଏହାକୁ ବିଶ୍ୱାସ କରି ମିଥାନଲ ପିଇଦେବାରୁ ଇରାନରେ ପ୍ରାୟ ୩୦୦ ଶହ ଲୋକଙ୍କ ମୃତ୍ୟୁ ହେବା ସହ ୧ ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ଏପରିକି କେତେକ ଅନ୍ଧ ସୁଦ୍ଧା ହୋଇ ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଥିବା ଜଣାଯାଇଛି । ଇରାନରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁକ ସଂଖ୍ୟା ୨୩୭୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୯୨୬ଟି ନୂଆ ମାମଲା ସାମନାକୁ ଆସିଛି ବୋଲି ଜଣାପଡ଼ିଛି ।

ଏହି ଘଟଣା ପରିପ୍ରେକ୍ଷୀରେ ଆଲକହଲ ପିଇଲେ କରୋନାରୁ ଆରୋଗ୍ୟ ଲାଭ ପରି ଗୁଜବରେ ବିଶ୍ୱାସ ନ କରିବାକୁ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ସମ୍ବନ୍ଧିତ ଖବର