ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ୨୦୧୬ ପରଠାରୁ ୩୨୦ ବୃହତ୍ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସେଥିରେ ୩,୯୦,୯୦୫,୬୫କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି। ଶିଳ୍ପ କ୍ଷେତ୍ରରେ ଅନଗ୍ରସର ଥିବା ଜିଲ୍ଲାଗୁଡ଼ିକ ବିଷୟରେ ଜାଣିବା ଲାଗି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଶିଳ୍ପ ନୀତି ୨୦୨୨ ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଜିଲ୍ଲାଗୁଡ଼ିକୁ ଅନଗ୍ରସର ଜିଲ୍ଲା ଭାବେ ବ୍ୟାଖ୍ୟା କରାଯାଇନାହିଁ। କିନ୍ତୁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଦେବଗଡ଼ ଓ କେନ୍ଦ୍ରାପଡ଼ାରେ ଅଣ ଖଣିଜ ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯାଉଛି।
ମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ଅଭିବୃଦ୍ଧିକୁ ବଢ଼ାଇବା ଓ ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଲାଗି ୨୦୧୬ରେ ଓଡ଼ିଶା ଶିଳ୍ପ ବିକାଶ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ସେଥିରେ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଆନୁଷଙ୍ଗିକ ଶିଳ୍ପ ଓ ଇଏସ୍ଡିଏମ୍ ତଥା ଆଇଟି/ଆଇଟିଇଏସ୍କୁ ଅଗ୍ରାଧିକାର କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଏଥିରେ ୨,୫୨,୫୭୫ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୩୦,୮୦,୦୦୦ ନିଯୁକ୍ତିର ପରିକଳ୍ପନା କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପାରାଦୀପରେ ପ୍ଲାଷ୍ଟିକ୍ ପାର୍କ, ଭୁବନେଶ୍ବରରେ ଇନ୍ଫୋଭାଲି ଓ ଇନ୍ଫୋସିଟି, ଡେରାସରେ ସିଫୁଡ୍ ପାର୍କ, ଅନୁଗୁଳରେ ଆଲୁମିନିୟମ୍ ପାର୍କ, କଳିଙ୍ଗନଗରରେ ଜାତୀୟ ନିବେଶ ଓ ମାନୁଫାକ୍ଚରିଂ ଜୋନ୍, ପାରାଦୀପରେ ପିସିପିଆଇଆର୍ ଅଞ୍ଚଳ ଏବଂ ପାରାଦୀପ ଓ ଧାମରାରେ ନିବେଶ ଅଞ୍ଚଳ ସ୍ଥାପନ କରାଯାଇଛି। ଇଡ୍କୋର ୧,୦୦,୦୦୦ ଏକର ଜମି ବ୍ୟାଙ୍କ ରହିଛି ବୋଲି ସେ କହିଛନ୍ତି।
କେନ୍ଦ୍ରାପଡ଼ାକୁ ୯ଟି ପ୍ରକଳ୍ପ
ଭୁବନେଶ୍ବର: ଶିଳ୍ପ ନଥିବା କେନ୍ଦ୍ରାପଡ଼ା ଲାଗି ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ୯ଟି ବୃହତ୍ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସେଥିରେ ୧,୧୯,୭୯୮.୫୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି। ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କେନ୍ଦ୍ରାପଡ଼ା ପାଇଁ ବିଦ୍ୟୁତ୍ ଶକ୍ତି, ଇସ୍ପାତ, ଆଗ୍ରୋ ପ୍ରୋସେସିଂ, ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ବୟନ, ପ୍ଲାଷ୍ଟିକ୍ ଓ ଭିତ୍ତିଭୂମି କ୍ଷେତ୍ରର ପ୍ରକଳ୍ପ ମଞ୍ଜୁର କରାଯାଇଛି। ମହାକାଳପଡ଼ାରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ର ୧,୦୨,୨୭୫ କୋଟି ଟଙ୍କାର ଇସ୍ପାତ କାରଖାନା ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି, ୱେଲ୍ସ୍ପନ୍ ନିଉ ଏନର୍ଜି ୧୩,୮୬୦ କୋଟି ଟଙ୍କା ନିବେଶରେ ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରୁଛି। ମାର୍ଶାଘାଇରେ ଓଡ଼ିଶା ପାୱାର କନ୍ସୋର୍ଟିୟମ୍ ଲିମିଟେଡ୍ର ୨୮୭୬ କୋଟି ଟଙ୍କାର ଗ୍ୟାସ୍ଭିତ୍ତିକ ବିଦ୍ୟୁତ୍ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହା ବ୍ୟତୀତ ମହାକାଳପଡ଼ାର ଯଦୁପୁରରେ ଶ୍ରବଣ ସିପିଙ୍ଗ ସର୍ଭିସେସ୍ର ୧୦୦ କୋଟି ଟଙ୍କାର ଗୋଦାମ ଓ ଶୀତଳଭଣ୍ଡାର ପ୍ରକଳ୍ପ, ବ୍ରହ୍ମପୁର ବାୟୋକେମ୍ର ୨୧୫ କୋଟି ଟଙ୍କାର ଡିଷ୍ଟିଲେରି, ଅସ୍ତରଙ୍ଗ ଓ ପାଟକୁରାରେ ଅଏଲ୍ ଇଣ୍ଡିଆର ୧୦୮ କୋଟି ଟଙ୍କାର ପ୍ରକଳ୍ପ, ମାର୍ଶାଘାଇରେ ୱେଲ୍ସ୍ପନ୍ ଲିଭିଂର ୨୦୦ କୋଟିର ଟେରି ଟାୱେଲ୍ ପ୍ରକଳ୍ପ, ଗ୍ରୋ ମ୍ୟାକ୍ସ ଇଣ୍ଡିଆର ମାର୍ଶାଘାଇରେ ୫୪.୫୫ କୋଟି ଟଙ୍କାର ପ୍ଲାଷ୍ଟିକ୍ ପ୍ରକଳ୍ପ ଓ ମହାକାଳପଡ଼ାରେ କୈବଲ୍ୟ ଲଜିଷ୍ଟିକ୍ସର ୧୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।